ନୂଆଦିଲ୍ଲୀ: ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ରାଜଧାନୀର କ୍ରିଷ୍ଣା ମେନନ୍ ମାର୍ଗସ୍ଥିତ ସରକାରୀ ବାସଭବନ ଏବେ ବି ପୂର୍ବତନ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଦଖଲରେ ରହିଛି । ଚନ୍ଦ୍ରଚୂଡ଼ଙ୍କୁ ସେଠାରୁ ତୁରନ୍ତ ଖାଲିକରାଇ ଉକ୍ତ ବାସଭବନକୁ ନିଜ ଅକ୍ତିଆରକୁ ନେବା ପାଇଁ ସୁପ୍ରିମକୋର୍ଟ ପ୍ରଶାସନ କେନ୍ଦ୍ରସରକାରଙ୍କୁ ଚିଠି ଲେଖିଛି। ଜୁଲାଇ ପହିଲାରେ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟକୁ ଲେଖିଥିବା ଏକ ଚିଠିରେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶାସନ ଉଲ୍ଲେଖ କରିଛି ଯେ ଉକ୍ତ ବାସଭବନରେ ରହୁଥିବା ବର୍ତ୍ତମାନର ବାସିନ୍ଦା ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସେଠାରେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ରହୁଛନ୍ତି। ଜଷ୍ଟିସ୍ ଚନ୍ଦ୍ରଚୂଡ଼ ୨୦୨୨ ନଭେମ୍ବରରୁ ୨୦୨୪ ପର୍ଯ୍ୟନ୍ତ ଦେଶର ୫୦ତମ ପ୍ରଧାନ ବିଚାରପତି ଥିଲେ। ବର୍ତ୍ତମାନର ପ୍ରଧାନ ବିଚାରପତି ବିଆର ଗୱାଇ ହେଉଛନ୍ତି ୫୨ତମ ପ୍ରଧାନ ବିଚାରପତି ଏବଂ ଚଳିତ ମେ ମାସରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।  

Advertisment

କ୍ରିଷ୍ଣା ମେନନ୍ ମାର୍ଗର ୫ ନମ୍ବର ବଙ୍ଗଳାକୁ ତୁରନ୍ତ ପ୍ରଶାସନ ନିଜ ଅକ୍ତିଆରକୁ ନେବାକୁ ସୁପ୍ରିମ୍ କୋର୍ଟ ପ୍ରଶାସନ ବିଭାଗୀୟ ସଚିବଙ୍କୁ କହିଛନ୍ତି। ଚିଠିରେ କୁହାଯାଇଛି ଯେ ଚନ୍ଦ୍ରଚୂଡ଼ଙ୍କ ବାସଭବନ ବଜାୟ ରଖିବା ପାଇଁ ଦିଆଯାଇଥିବା ଅନୁମତିର ଅବଧି ମେ ୩୧ରେ ଶେଷ ହୋଇଛି। ଏ ଦିଗରେ ଅଧିକ ବିଳମ୍ବ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ତୁରନ୍ତ ଉକ୍ତ ବାସଭବନ ନିୟନ୍ତ୍ରଣକୁ ନେବାପାଇଁ ସୁପ୍ରିକୋର୍ଟଙ୍କ ଅନୁରୋଧ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି କରିଛି। 

ସୂଚନାଯୋଗ୍ୟ, ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପଦ ଛାଡ଼ିବାର ପ୍ରାୟ ୮ ମାସ ପରେ ବି ଏବେ ଟାଇପ୍-୮ ବଙ୍ଗଳାରେ ରହୁଛନ୍ତି। କ୍ରମାଗତ ଦୁଇ ଜଣ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ବର୍ତ୍ତମାନର ବିଚାରପତି ଭୂଷଣ ଆର ଗୱାଇ ଏହି ପରିସରକୁ ନଯାଇ ପୂର୍ବରୁ ଆବଣ୍ଟିତ ବଙ୍ଗଳାରେ ରହିବାକୁ ପସନ୍ଦ କରିଥିଲେ। ଜଷ୍ଟିସ ଚନ୍ଦ୍ରଚୂଡ଼ ଏ ବାବଦ ବିଳମ୍ବ ପାଇଁ ବ୍ୟକ୍ତିଗତ ପରିସ୍ଥିତିକୁ ଦାୟୀ କରିଛନ୍ତି ଏବଂ ଏ  ବିଷୟରେ ସୁପ୍ରିମ୍‌କୋର୍ଟ ପ୍ରଶାସନକୁ ସମ୍ପୂର୍ଣ୍ଣ ଭାବେ ଅବଗତ କରାଯାଇଥିବା କହିଛନ୍ତି। ସରକାର ତାଙ୍କୁ ସୀମିତ ସମୟ ପାଇଁ ଭଡ଼ାରେ ବିକଳ୍ପ ଆବାସ ଆବଣ୍ଟନ କରିସାରିଛନ୍ତି ଏବଂ  ଏହାର ନବୀକରଣ କରିବା ପାଇଁ ସେ ଅପେକ୍ଷା କରିଥିବା  ସ୍ପଷ୍ଟ କରିଛନ୍ତି। ପ୍ରଦୂଷଣଜନିତ ନିର୍ମାଣ କଟକଣା ଯୋଗୁଁ ନୂତନ ବାସଭବନର ନବୀକରଣ କାର୍ଯ୍ୟ ଅଟକି ରହିଛି ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି। 
 ଅନ୍ୟପକ୍ଷରେ ଉକ୍ତ ବାସଭବନରେ ରହଣି ପାଇଁ କୌଣସି ଅବଧି ବୃଦ୍ଧିକୁ ଅନୁମତି ଦିଆଯିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଶାସନ ସ୍ପଷ୍ଟ କରିଛି।