ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ଆଜି ଏକ ଶୁଣାଣି ସମୟରେ ଭାରତୀୟ ସଂବିଧାନର ମହତ୍ତ୍ୱ ଉପରେ ଆଲୋକପାତ କରି ପଡ଼ୋଶୀ ଦେଶ ନେପାଳ ଓ ବାଂଲାଦେଶରେ ଚାଲିଥିବା ରାଜନୈତିକ ଅଶାନ୍ତିର ଉଦାହରଣ ଦେଇଛନ୍ତି। ପ୍ରଧାନ ବିଚାରପତି ବିଆର୍ ଗୱାଇ  ତାଙ୍କ ମନ୍ତବ୍ୟରେ କହିଛନ୍ତି, ‘ଆମେ ଆମ ସଂବିଧାନକୁ ନେଇ ଗର୍ବ କରୁଛୁ, ପଡ଼ୋଶୀ ଦେଶଗୁଡ଼ିକରେ କ’ଣ ଚାଲିଛି ଦେଖନ୍ତୁ।’  ରାଷ୍ଟ୍ରପତିଙ୍କ ରେଫରେନ୍ସ ସହ ଜଡ଼ିତ ଏକ ମାମଲାର ଶୁଣାଣି ସମୟରେ ପ୍ରଧାନବିଚାରପତି ଏଭଳି ମନ୍ତବ୍ୟ ‌ରଖିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଓ ରାଜ୍ୟପାଳମାନଙ୍କୁ ବିଧାନସଭା ଦ୍ୱାରା ପାସ୍ ହୋଇଥିବା ବିଲ୍‌ଗୁଡ଼ିକୁ ଅନୁମୋଦନ କରିବା ପାଇଁ ସମୟସୀମା ନିର୍ଦ୍ଧାରଣ କରିବା ମାମଲାରେ  ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଶୁଣାଣି କରୁଛନ୍ତି।

Advertisment

ନେପାଳ ଓ ବାଂଲାଦେଶ ପ୍ରସଙ୍ଗ ଉଲ୍ଲେଖ କଲେ ସୁପ୍ରିମ୍‌କୋର୍ଟ
ଭାରତୀୟ ସମ୍ବିଧାନକୁ ନେଇ ଗର୍ବ କଲେ

ଆଜିର ଶୁଣାଣିରେ ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ଉଲ୍ଲେଖ କରିଥିଲେ ଯେ ପ୍ରାୟ ୯୦% ବିଲ୍ ରାଜ୍ୟପାଳମାନେ ଏକ ମାସ ମଧ୍ୟରେ ଅନୁମୋଦନ କରିଛନ୍ତି। ତେବେ ପ୍ରଧାନ ବିଚାରପତି ଏହି ପରିସଂଖ୍ୟାନକୁ ବିବେଚନା କରିବାକୁ ମନା କରି କହିଛନ୍ତି,  ଆମେ ପରିସଂଖ୍ୟାନ ନେବୁ ନାହିଁ, ଏହା ଆବେଦନକାରୀ ରାଜ୍ୟମାନଙ୍କ ପ୍ରତି ନ୍ୟାୟୋଚିତ ହେବ ନାହିଁ। ଆମେ ସେମାନଙ୍କ ପରିସଂଖ୍ୟାନ ମଧ୍ୟ ଗ୍ରହଣ କରିନାହୁଁ ବୋଲି ପ୍ରଧାନବିଚାରପତି କହିଛନ୍ତି। ଶୁଣାଣି ସମୟରେ କୋର୍ଟ ପଡ଼ୋଶୀ ଦେଶଗୁଡ଼ିକରେ ଚାଲିଥିବା ଅଶାନ୍ତିକୁ ନେଇ ମନ୍ତବ୍ୟ ରଖିଥିଲେ।  ନେପାଳରେ ଜେନ୍ ଜେଡ୍ (ଯୁବ ପିଢ଼ି) ନେତୃତ୍ୱାଧୀନ  ଆନ୍ଦୋଳନ ସରକାରର ପତନ ଘଟାଇଛି। ଏହି  ହିଂସାତ୍ମକ ଆନ୍ଦୋଳନ ସରକାରଙ୍କ ଦ୍ୱାରା ୨୬ଟି ସୋସିଆଲ୍ ମିଡିଆ ସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇବାରୁ ଆରମ୍ଭ ହୋଇଥିଲା।

ଆନ୍ଦୋଳନକାରୀମାନେ ଶାସକ ଦଳ ଓ  ବିରୋଧୀ ଦଳ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଭୀଷଣ ଆକ୍ରମଣ ଓ ପୋଡ଼ାଜଳା କରିଛନ୍ତି। ସେହିପରି ବାଂଲାଦେଶରେ ଯୁବଗୋଷ୍ଠୀର ହିଂସାତ୍ମକ ଆନ୍ଦୋଳନ କିଭଳି ଶେଖ ହାସିନାଙ୍କ ସରକାରର  ପତନ ଘଟାଇଥିଲା ସେ ସଂପର୍କରେ ମଧ୍ୟ ଖଣ୍ଡପୀଠ ଉଲ୍ଲେଖ କରିଥିଲେ। ସୂଚନାଯୋଗ୍ୟ, ବାଂଲାଦେଶ ଆନ୍ଦୋଳନ ଛାତ୍ର କୋଟା ବ୍ୟବସ୍ଥା ବିରୋଧରୁ ଆରମ୍ଭ ହୋଇ ସରକାର ବିରୋଧରେ ବ୍ୟାପିଥିଲା, ଯେଉଁଥିରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଥିଲା। ଅନ୍ତର୍ଜାତୀୟ ଚାପ ଓ ସେନା ହସ୍ତକ୍ଷେପ ପରେ ସେଠାରେ ଏବେ ଏକ ଅନ୍ତରୀଣ ସରକାର କାମ କରୁଛି। ସୁପ୍ରିମ୍‌କୋର୍ଟଙ୍କ ଆଜିର ମନ୍ତବ୍ୟ ଭାରତୀୟ ସଂବିଧାନର ସ୍ଥିରତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆଲୋକପାତ କରୁଛି। ଭାରତରେ କୃଷକ ଆନ୍ଦୋଳନ ଓ ସିଏଏ-ଏନ୍‌ଆରସି ଭଳି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହୋଇଛି, ଯାହା ଭାରତୀୟ ଲୋକତନ୍ତ୍ରର ଶକ୍ତି ଦର୍ଶାଉଛି।