ପୁରୀ ରଥଯାତ୍ରା ଆୟୋଜନକୁ ପ୍ରଶଂସା : ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେଇଛନ୍ତି, ମହାରାଷ୍ଟ୍ରରେ ଗଣେଶ ପୂଜାକୁ ଅନୁମତି ଦେଲେନି ସୁପ୍ରିମ କୋର୍ଟ

ନୂଆଦିଲ୍ଳୀ : ମହାରାଷ୍ଟ୍ରରେ ଗଣେଶ ପୂଜା ଲାଗି ଅନୁମତି ଦେବାକୁ ମନା କରିନେଇଛନ୍ତି ସୁପ୍ରିମ କୋର୍ଟ। ‌କହିଛନ୍ତି ଯେ ଏଭଳି ଉତ୍ସବ ବେଳେ ଲୋକଙ୍କ ଭିଡ଼ ସମ୍ଭାଳିବା କଷ୍ଟକର ହୋଇପଡ଼ିବ। ତେବେ ମୁମ୍ବାଇରେ ତିନିଟି ଜୈନ ମନ୍ଦିରରେ କୋଭିଡ୍ ଗାଇଡ୍‌ଲାଇନ୍ସ ଅନୁଯାୟୀ ଦୁଇ ଦିନ ପାଇଁ ପ୍ରାର୍ଥନା କରିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏହି ଅନୁମତି ଦେବା ସମୟରେ ପୁରୀରେ ଅନୁଷ୍ଠିତ ରଥଯାତ୍ରାର ଉଦାହରଣ ଦେଇ ସୁପ୍ରିମ କୋର୍ଟ କୋଭିଡ୍ ନିୟମ ପାଳନ କରି ଏହା ଯେପରି ସଫଳତାର ସହ ଆୟୋଜନ କରାଗଲା ତାହାର ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାର ରାଜ୍ୟରେ ଅର୍ଥନୀତି ପାଇଁ ସପିଂ ମଲ୍ ଖୋଲି ଦେଇଥିବା ବେଳେ ଧର୍ମାନୁଷ୍ଠାନକୁ ଯେପରି ବନ୍ଦ କରି ରଖିଛନ୍ତି ତାହାକୁ ନେଇ କୋର୍ଟ ସମାଲୋଚନା କରିଛନ୍ତି। ପର୍ଯ୍ୟୁସନ୍ ଉତ୍ସବ ପରିପ୍ରେକ୍ଷୀରେ ମହାରାଷ୍ଟ୍ରରେ ଜୈନ ମନ୍ଦିର ଖୋଲିବା ଲାଗି ଆଗତ ପିଟିସନ ଉପରେ ଆଜି ବିଚାର କରିଥିଲେ ପ୍ରଧାନ ବିଚାରପତି ଜ‌ଷ୍ଟିସ ଏସ୍‌ଏ‌ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ। କରୋନା ମହାମାରୀ ପରିପ୍ରେକ୍ଷୀରେ ମୁମ୍ବାଇରେ ତିନିଟି ମନ୍ଦିର ଆସନ୍ତା ୨୨ ଏବଂ ୨୩ ତାରିଖ ଦୁଇ ଦିନ ପାଇଁ ଖୋଲାଯାଇ ପ୍ରାର୍ଥନା କରିବା ଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

ତେବେ ଏଥିପାଇଁ କୋଭିଡ୍ ଗାଇଡଲାଇନ୍ସ ଅନୁସାରେ ସର୍ତ ରଖାଯାଇଛି। ଏକ ସମୟରେ ମନ୍ଦିର ଭିତରେ ସର୍ବାଧିକ ୫ ଜଣ ଭକ୍ତଙ୍କୁ ଅନୁମତି ମିଳିବ। ଗୋଟିଏ ଦିନରେ ସର୍ବାଧିକ ୨୫୦ ଭକ୍ତଙ୍କୁ ଅନୁମତି ଦିଆଯିବ। ତେବେ ଏଥିଲାଗି ଆବେଦନକାରୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଣ୍ଡରଟେକିଂ ଦାଖଲ କରିବ‌ାକୁ ପଡ଼ିବ। କୋଭିଡ୍ ଗାଇଡଲାଇନ୍ସ ଅନୁସାରେ ପ୍ରାର୍ଥନା ‌କଲେ କିଛି ଅସୁବିଧା ‌ନାହିଁ। ଏହି ସମୟରେ ମାନ୍ୟବର ବେଞ୍ଚ ପୁରୀରେ ଅନୁଷ୍ଠିତ ରଥଯାତ୍ରାର ଉଦାହରଣ ଦେଇଥିଲେ। କହିଥିଲେ ଯେ କୋଭିଡ୍ ଗାଇଡ୍‌ଲାଇନ୍ସ ଅନୁଯାୟୀ ପୁରୀ ରଥଯାତ୍ରା ଶୃଙ୍ଖଳାର ସହିତ ସଂପନ୍ନ ହୋଇଥିଲା। ଏହାର ପ୍ରଶଂସା କରି ପ୍ରଧାନ ବିଚାରପତି କହିଲେ ଯେ ସାମାଜିକ ଦୂରତ୍ବ ରକ୍ଷା କରି ଉତ୍ସବ ପାଳନ କରାଯିବା ଉଚିତ। ରଥଯାତ୍ରା ପାଇଁ ଅନୁମତି ଦେବା ଆମ ପାଇଁ କଠିନ ନିଷ୍ପତ୍ତି ଥିଲା। ତେବେ ଆମର ବିଶ୍ବାସ ଥିଲା ଯେ ସାମାଜିକ ଦୂରତ୍ବ ସହିତ ରଥଟଣା ହେଲେ କୌଣସି କ୍ଷତି ହେବ ନାହିଁ। ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେଇଛନ୍ତି। ଆପଣଙ୍କ ଭଗବାନ ମଧ୍ୟ ଆମକୁ କ୍ଷମା ଦେବେ ବୋଲି ପ୍ରଧାନ ବିଚାରପତି କହିଥିଲେ। ତେ‌ବେ କୋର୍ଟଙ୍କ ଏହି ଆଦେଶ ଅନ୍ୟ କୌଣସି ମନ୍ଦିର ବା ଧର୍ମ ଉତ୍ସବ ପାଇଁ ଅନୁମତି ବୋଲି ଭାବି ନେବା ଉଚିତ ନୁହେଁ ବୋଲି ସ୍ପଷ୍ଟ କରିଦେଇଥିଲେ। ମନ୍ଦିର ଖୋଲିବା ଲାଗି ଟ୍ରଷ୍ଟର ପିଟିସନକୁ ମହାରାଷ୍ଟ୍ର ସରକାର ବିରୋଧ କରିବାରୁ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି କହିଥିଲେ, ଅର୍ଥନୈତିକ କାର୍ଯ୍ୟକଳାପ ଲାଗି ସପିଂ ମଲ୍ ଖୋଲାଯାଉଛି। କିନ୍ତୁ ଧାର୍ମିକ କାର୍ଯ୍ୟକଳାପ ପାଇଁ ଅନୁମତି କଥା ଆସିଲେ କୋଭିଡ୍ କଟକଣା ବିଷୟ କୁହାଯାଉଛି।

ସମ୍ବନ୍ଧିତ ଖବର