ଅନାହାର ମୃତ୍ୟୁ: ସବୁ ରାଜ୍ୟକୁ ନୋଟିସ୍‌ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅନାହାର ମୃତ୍ୟୁ ପ୍ରସଙ୍ଗରେ ଆଜି ସୁପ୍ରିମ‌କୋର୍ଟ ସମସ୍ତ ରାଜ୍ୟକୁ ନୋଟିସ୍‌ କରିଛନ୍ତି। ଆଧାର କାର୍ଡ ନଥିବା ଯୋଗୁଁ ଲୋକଙ୍କୁ ରାସନ୍‌ ମିଳୁନଥିବା ଅଭିଯୋଗ ହେବାରୁ ସୁପ୍ରିମକୋର୍ଟ ଏନେଇ ନୋଟିସ୍‌ କରି ତୁରନ୍ତ ଏନେଇ ଜବାବ ରଖିବାକୁ କହିଛନ୍ତି। ଆଧାର ପାଇଁ କୌଣସି ବ୍ୟକ୍ତି ରାସନ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି କି ନା’ ସେନେଇ ପ୍ରଧାନ ବିଚାରପତି ଏସ୍‌ଏ ବୋବ୍‌ଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ରାଜ୍ୟଗୁଡ଼ିକଠାରୁ ଉତ୍ତର ଲୋଡ଼ିଛନ୍ତି। ଉକ୍ତ ମାମଲାର ତଦନ୍ତ ପାଇଁ ଖଣ୍ଡପୀଠ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ନିଯୁକ୍ତି ପାଇଁ ଚାହିଛନ୍ତି। ତେବେ କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଖଣ୍ଡପୀଠଙ୍କୁ କହିଛନ୍ତି ଯେ, ଏସବୁ ମୃତ୍ୟୁ ଅନାହାର ମୃତ୍ୟୁ ନୁହେଁ। ଆଧାର ନଥିବା ଯୋଗୁଁ କୌଣସି ବ୍ୟକ୍ତିଙ୍କୁ ଖାଦ୍ୟ ମିଳୁନଥିବା କଥାକୁ ‌ସେ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ ଆଜି ଏକ ଆବେଦନ ଉପରେ ଶୁଣାଣି କରି ରାଜ୍ୟମାନଙ୍କୁ ଏହି ନୋଟିସ୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ ସେପ୍ଟେମ୍ବର ୨୮, ୨୦୧୭ରେ ଝାଡ଼ଖଣ୍ଡର କରିମତୀରେ ସନ୍ଦୋଷୀ ନାମକ ଜଣେ ୧୧ ବର୍ଷୀୟା ନାବାଳିକାର ଅନାହାର ମୃତ୍ୟୁ ହୋଇଥିଲା। ରାସନ୍‌ କାର୍ଡ ଆଧାର ସଂଯୋଗୀକରଣ ହୋଇନଥିବାରୁ ସନ୍ତୋଷୀଙ୍କ ପରିବାରକୁ ରାସନ୍‌ ମିଳିନଥିଲା। ଫଳରେ ତାଙ୍କର ଅନାହାର ମୃତ୍ୟୁ ହୋଇଥିଲା। ଏନେଇ ସନ୍ତୋଷୀଙ୍କ ମା’ କୋଇଲି ଦେବୀ ଏବଂ ତାଙ୍କ ଭଉଣୀ ଗୁଡ଼ିଆ ଦେବୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର