ସୁପ୍ରିମ୍‌ କୋର୍ଟଙ୍କ ଅସନ୍ତୋଷ: ଶାହିନ ବାଗ୍‌ ସିଏଏ ବିରୋଧୀ ଆନ୍ଦୋଳନ, ରାସ୍ତା ଅବରୋଧ କରିପାରିବେନି

ଦିଲ୍ଲୀ ପୁଲିସ, ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌

ନୂଆଦିଲ୍ଲୀ: ସୁ୍ପ୍ରିମକୋର୍ଟ ଆଜି ଶାହିନ ବାଗ୍‌ରେ ସିଏଏ ବିରୋଧୀ ଆନ୍ଦୋଳନ ପ୍ରସଙ୍ଗରେ ଏକ ଆବେଦନର ଶୁଣାଣି କରି ଦିଲ୍ଲୀ ପୁଲିସ , ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କରିଛନ୍ତି। ଦୀର୍ଘ ଦିନ ଧରି ଶାହିନ ବାଗ୍‌ରେ ସିଏଏକୁ ବିରୋଧ କରି ହୋଇଥିବା ଆନ୍ଦୋଳନ ହଟାଇବାପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ୍‌ ସଂଜୟ କିଶାନ କୌଲ ଏବଂ କେଏମ୍‌ ଜୋସେଫ୍‌ଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି, ଦିଲ୍ଲୀର ଶାହିନ ବାଗ୍‌ରେ ସିଏଏ ବିରୋଧୀ ଆନ୍ଦୋଳନକାରୀମାନେ ସର୍ବସାଧାରଣ ରାସ୍ତା ଏବଂ ସମଗ୍ର ସହରକୁ ଅବରୋଧ କରିପାରିବେନି କି ଅନ୍ୟ ମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରିବେନି। ଏକ ଆଇନ ରହିଛି ଏବଂ ଲୋକମାନେ ଏହା ବିରୋଧରେ ଯାଉଛନ୍ତି। ମାମଲା କୋର୍ଟରେ ଥିଲେ ମଧ୍ୟ କିଛି ଲୋକ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନ କରିବାପାଇଁ ସେମାନେ ହକଦାର। କିନ୍ତୁ ଏହାର ମାନେ ନୁହେଁ ଯେ ସେମାନେ ସର୍ବସାଧାରଣ ରାସ୍ତାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବେ।

କୋର୍ଟ କହିଛନ୍ତି , ଅନିର୍ଦ୍ଦିଷ୍ଟ କାଳ ପାଇଁ କୌଣସି ସର୍ବସାଧାରଣ ରାସ୍ତା ଅବରୋଧ କରି‌ହେବନି। ଯଦି ଆନ୍ଦୋଳନ କରିବାର ଅଛି ତେବେ ଆନ୍ଦୋଳନ ପାଇଁ ଚିହ୍ନଟ ହୋଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଆନ୍ଦୋଳନ ହେବା ଉଚିତ୍‌ ବୋଲି ଖଣ୍ଡପୀଠ କହିଛନ୍ତି। ତେବେ ଖଣ୍ଡପୀଠ ଆଜି ଏହି ମାମଲାରେ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି। ମାମଲାରେ ଅନ୍ୟ ପାର୍ଶ୍ବର ଶୁଣା‌ଣି ନକରି କୋର୍ଟ ଏହି ମାମଲାରେ କୌଣସି ରାୟ ଦେବେନି ବୋଲି କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୭ ତାରିଖ କରିବା ଲାଗି ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର