କମ୍ପ୍ୟୁଟର ଉପରେ ନଜର : କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୧୦ଟି ତଦନ୍ତକାରୀ ସଂସ୍ଥାକୁ ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ କମ୍ପ୍ୟୁଟରର ତଥ୍ୟ ହାସଲ ପାଇଁ ଅନୁମତି ପ୍ରଦାନ କରିଥିବାରୁ ଏହାକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ମାମଲା ରୁଜୁ ହୋଇଥିଲା। ସୁପ୍ରିମ୍‌ କୋର୍ଟ ଆଜି ଏହି ଆବେଦନକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ଏ ବାବଦରେ ଜବାବ ରଖିବାକୁ କହିଛନ୍ତି। ବ୍ୟକ୍ତିଗତ କମ୍ପ୍ୟୁଟର ଉପରେ ନଜର ରଖାଯିବା ଦ୍ବାରା ଏହା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଦର୍ଶାଇ ମାମଲା ରୁଜୁ ହୋଇଛି। ୨୦୧୭ରେ ସୁପ୍ରିମ୍‌ କୋର୍ଟଙ୍କ ୯ ଜଣିଆଖଣ୍ଡପୀଠ ବ୍ୟକ୍ତିଗତ ଗୋପନୀୟତାକୁ ଧାରା ସମ୍ବିଧାନର ଧାରା ୨୧ ଅନୁଯାୟୀ ମୌଳିକ ଅଧିକାରର ଅନ୍ତର୍ଭୁକ୍ତ ବୋଲି କହିଥିଲେ। ପ୍ରତ୍ୟେକ ବ୍ୟକ୍ତିଙ୍କ ସୂଚନାଗତ ଗୋପନୀୟତାକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ପ୍ରଧାନ ବିଚାରପତି ରଂଜନ ଗୋଗଇ ସରକାରଙ୍କୁ ଏ ବାବଦରେ ନୋଟିସ୍‌ ଜାରି କରି ୬ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ସୁପ୍ରିମ୍‌ କୋର୍ଟ ୨୦୧୭ ରାୟରେ କହିଥିଲେ ଯେ ଜାତୀୟ ନିରାପତ୍ତା କ୍ଷେତ୍ରରେ ମଧ୍ୟ ସରକାର ସନ୍ତୁଳନ ରକ୍ଷା କରି ତଦନ୍ତ କରିବାକୁ ହେବ ଏବଂ ମୌଳିକ ଅଧିକାରର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏନ୍‌ଡିଏ ସରକାର ଡିସେମ୍ବର ୨୦ ତାରିଖରେ ଦେଶର ୧୦ଟି ପ୍ରମୁଖ ତଦନ୍ତକାରୀ ସଂସ୍ଥାକୁ ବ୍ୟକ୍ତିଗତ କମ୍ପ୍ୟୁଟରରୁ ତଥ୍ୟ ହାସଲ କରବା ପାଇଁ କ୍ଷମତାପନ୍ନ କରିଥିଲେ। ପୂର୍ବରୁ ମଧ୍ୟ ୟୁପିଏ ସରକାର ଅମଳରେ ଏହି ଧାରା ଚାଲି ଆସିଥିବାରୁ ଦେଶର ସୁରକ୍ଷା ସଂପର୍କିତ ମାମଲାରେ କମ୍ପ୍ୟୁଟର ତଥ୍ୟ ହାସଲ କରାଯାଇ ପାରିବ ବୋଲି ସରକାର ଯୁକ୍ତି କରିଥିଲେ।

ସମ୍ବନ୍ଧିତ ଖବର