କମ୍ପ୍ୟୁଟର୍‌ ମନିଟର୍‌ ପାଇଁ ଏଜେନ୍‌ସିଙ୍କୁ ସରକାର ଦେଇଥିବା କ୍ଷମତା ବିରୋଧରେ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: କମ୍ପ୍ୟୁଟର୍‌ ସିଷ୍ଟମ୍‌ ମନିଟର୍‌ କରିବାକୁ ୧୦ଟି କେନ୍ଦ୍ରୀୟ ଏଜେନ୍‌ସିଙ୍କୁ ସରକାର କ୍ଷମତା ପ୍ରଦାନ କରିଥିବା ବିଜ୍ଞପ୍ତି ବିରୋଧରେ ଆଗତ ପିଟିସନ୍‌ର ଶୁଣାଣି କରି ସୋମବାର ଦିନ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି।

୬ ସପ୍ତାହ ମଧ୍ୟରେ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ଏ ସଂକ୍ରାନ୍ତରେ ଜବାବ ଚାହିଁଛନ୍ତି।

ଆଡ୍‌ଭୋକେଟ୍‌ ଏମ୍‌ ଏଲ୍‌ ଶର୍ମା ଏବଂ ଅମିତ ସାହାଣି ଫାଇଲ୍‌ କରିଥିବା ଦୁଇଟି ପିଟିସନ୍‌ରେ ଉଲ୍ଲେଖ ରହିଛି କି, ଦିନ ଗୃହ ବ୍ୟାପାର ମନ୍ତ୍ରାଳୟର ଡିସେମ୍ବର ୨୦ ତାରିଖ ଆଦେଶ ଆଇନ ଅନୁସାରେ, ବେଆଇନ୍‌, ଅସାମ୍ବିଧାନିକ ଏବଂ ଜଣକ ଆଇନଗତ କ୍ଷମତା ବାହାରେ। ଏହାଦ୍ୱାରା ସରକାରଙ୍କ ବିରୋଧରେ ମତପୋଷଣ କରୁଥିବା ନାଗରିକମାନେ ଦଣ୍ଡ ଭୋଗିବାର ଆଶଙ୍କା ରହିଛି।

ଇଣ୍ଟେଲିଜେଣ୍ଟ୍‌ ବ୍ୟୁରୋ, ଏନ୍‌ଫୋର୍ସମେଣ୍ଟ୍‌ ଡାଇରେକ୍ଟୋରେଟ୍‌, ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ ଏବଂ ଦିଲ୍ଲୀ ପୁଲିସ ସମେତ ୧୦ଟି କେନ୍ଦ୍ରୀୟ ଏଜେନ୍‌ସିଙ୍କୁ କମ୍ପ୍ୟୁଟର୍‌ରେ କରାଯାଇଥିବା, ପ୍ରସାରଣ କରାଯାଇଥିବା ବା ରଖାଯାଇଥିବା ଯେ କୌଣସି ସୂଚନାକୁ ଅଟକାଇବା, ଯାଞ୍ଚ କରିବା, ଏବଂ ସାଙ୍କେତିକ ସୂଚନା ଅର୍ଥ ପ୍ରକାଶ କରିବାକୁ ଗୃହ ବ୍ୟାପାର ମନ୍ତ୍ରାଳୟ କ୍ଷମତା ପ୍ରଦାନ କରିଥିଲା।

ଗ୍ରାହକ ବା ସେବା ପ୍ରଦାନକାରୀ ବା ଏସବୁ ସୁବିଧା ଏବଂ କମ୍ପ୍ୟୁଟର୍‌ ସମ୍ବଳ ଦାୟିତ୍ୱରେ ଥିବା ଯେକୌଣସି ବ୍ୟକ୍ତି ଏହି ଏଜେନ୍‌ସିଗୁଡ଼ିକୁ ବୈଷୟିକ ସହାୟତା ଯୋଗାଇ ଦେବା ନିମନ୍ତେ ବାଧ୍ୟ ବୋଲି ଗୃହ ବ୍ୟାପାର ମନ୍ତ୍ରାଳୟ ଆଦେଶରେ ଉଲ୍ଲେଖ ରହିଛି। ଏହାକୁ ଅମାନ୍ୟ କଲେ ୭ ବର୍ଷ ଜେଲ୍‌ ଓ ଜରିମାନା କରାଯିବା ବୋଲି ନିୟମ ରହିଛି।

ସମ୍ବନ୍ଧିତ ଖବର