ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତୃତ୍ୱାଧୀନ ଦିଲ୍ଲୀ ସରକାର ଜାତୀୟ ରାଜଧାନୀ ଦିଲ୍ଲୀରେ ସେବା ନିୟନ୍ତ୍ରଣ ଅଧ୍ୟାଦେଶ ବିରୋଧରେ ଦାଖଲ କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି।

Advertisment

ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ୍‌ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର କେନ୍ଦ୍ର ସରକାରଙ୍କୁ ଏହି ନୋଟିସ୍‌ ଜାରି କରିଛନ୍ତି। ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭିଙ୍କୁ ତାଙ୍କ ଆବେଦନରେ ସଂଶୋଧନ କରି ଉପ-ରାଜ୍ୟପାଳଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଆପ୍‌ ସରକାର ତାଙ୍କ ଆବେଦନରେ କହିଛନ୍ତି ଯେ ଏହା ଏକ ଅସାମ୍ବିଧାନିକ କାର୍ଯ୍ୟ, ଯେଉଁଥିରେ ସୁପ୍ରିମ୍‌କୋର୍ଟ ଏବଂ ସମ୍ବିଧାନର ମୌଳିକ ଢାଞ୍ଚାକୁ ଉଚ୍ଛେଦ କରିବାକୁ ଚେଷ୍ଟା କରାଯାଇଛି। ତେଣୁ, ଏହି ଅଧ୍ୟାଦେଶକୁ ରଦ୍ଦ କରିବା ସହ ଦିଲ୍ଲୀ ସରକାର ଏହା ଉପରେ ଅନ୍ତରୀଣ ସ୍ଥଗିତାଦେଶ ମଧ୍ୟ ମାଗିଛନ୍ତି।

ଏଥିସହ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଇନଜୀବୀ ଅଭିଷେକ ସିଂଘଭି ଦିଲ୍ଲୀ ସରକାରଙ୍କ ସହ କାମ କରୁଥିବା ୪୦୦ ବିଶେଷଜ୍ଞଙ୍କ ଚାକିରିରୁ ବହିଷ୍କାର ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି।

ଏହାର ଜବାବରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ ବିଧାୟକ ଏବଂ ଆପ୍‌ ଦଳର କର୍ମୀଙ୍କ ପତ୍ନୀଙ୍କୁ ଏହି ପଦବୀରେ ନିୟୋଜିତ କରାଯାଇଛି।

୪୩୭ ପରାମର୍ଶଦାତାଙ୍କୁ ହଟାଇବା ପ୍ରସଙ୍ଗରେ ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସମୟ ଦିଆଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଆସନ୍ତା ଜୁଲାଇ ୧୭ ତାରିଖ ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ଦିଲ୍ଲୀକୁ ନେଇ କେନ୍ଦ୍ରର ଅଧ୍ୟାଦେଶ

ଦିଲ୍ଲୀର ନିର୍ବାଚିତ ସରକାରଙ୍କ କ୍ଷମତାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ମେ’ ୧୯ ତାରିଖରେ ଏକ ଅଧ୍ୟାଦେଶ ଆଣିଥିଲେ। ଏଥିରେ ଦିଲ୍ଲୀରେ ପୁଲିସ, ଜନଶୃଙ୍ଖଳା ଓ ଜମି ସମ୍ବନ୍ଧୀୟ ସେବାକୁ ବାଦ୍‌ ଦେଇ ସୁପ୍ରିମ୍‌ କୋର୍ଟ ନିର୍ବାଚିତ ସରକାରଙ୍କୁ ସେବାର ନିୟନ୍ତ୍ରଣ ହସ୍ତାନ୍ତର କରିବାର କିଛି ଦିନ ପରେ ଏହି କାର୍ଯ୍ୟନିର୍ବାହୀ ଆଦେଶ ଜାରି କରାଯାଇଥିଲା।

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶବ୍ୟାପୀ ଗସ୍ତରେ ଯାଇ ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ସମର୍ଥନ ହାସଲ କରିବା ପାଇଁ ଅଣବିଜେପି ଦଳମାନଙ୍କୁ ଭେଟିଥିଲେ। କେଜ୍ରିୱାଲ କହିଛନ୍ତି ଯେ ଏହି ଅଧ୍ୟାଦେଶ ଦେଶର ସଂଘୀୟ ଢାଞ୍ଚାକୁ ନଷ୍ଟ କରିବ।