ନୂଆଦିଲ୍ଲୀ: ଭିଭିପିଏଟି (ଭୋଟର ଭେରିଫାଏବଲ ପେପର ଅଡିଟ୍ ଟ୍ରେଲ୍)ରେ ଜାଲିଆତି ହେଉଥିବା ଅଭିଯୋଗ କରି ଦେଶର ୨୧ଟି ରାଜନୈତିକ ଦଳଙ୍କ ପକ୍ଷରୁ ଆଗତ ହୋଇଥିବା ମାମଲାକୁ ଆଜି (ଶୁକ୍ରବାର) ସୁପ୍ରିମ୍ କୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ ଏସଂପର୍କରେ କାରଣ ଦର୍ଶାଇବା ପାଇଁ ନିର୍ବାଚନ କମିଶନଙ୍କ ଉପରେ ନୋଟିସ୍ ଜାରି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଦେଶର ୨୧ଟି ରାଜନୈତିକ ଦଳ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭିଭିପିଏଟି (ଭୋଟର ଭେରିଫାଏବଲ ପେପର ଅଡିଟ୍ ଟ୍ରେଲ୍) ଦ୍ଵାରା ୫୦ ପ୍ରତିଶତ ଭୋଟ୍ର ବାଧ୍ୟତାମୂଳକ ଗଣତି ଦାବି କରି ଗୁରୁବାର ସୁପ୍ରିମ୍ କୋର୍ଟରେ ଏକ ଯାଚିକା ଆଗତ କରିଥିଲେ।
ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଦୀପକ ଗୁପ୍ତା ଓ ଜଷ୍ଟିସ୍ ସଞ୍ଜୀବ ଖାନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏସଂପର୍କରେ କାରଣ ଦର୍ଶାଇବା ପାଇଁ ନିର୍ବାଚନ କମିଶନଙ୍କ ଉପରେ ନୋଟିସ୍ ଜାରି କରିଛନ୍ତି। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ମାର୍ଚ୍ଚ ୨୫ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଇଭିଏମ୍ରେ ହେରଫେର ହେଉଥିବା ଅଭିଯୋଗ କରି ଚୂଡ଼ାନ୍ତ ଫଳାଫଳ ଘୋଷଣା ପୂର୍ବରୁ ସମସ୍ତ ଭିଭିପିଏଟିରେ ଆସିଥିବା ସଂଖ୍ୟାକୁ ଯାଞ୍ଚ କରାଯିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ। ହେଲେ, ନିର୍ବାଚନ କମିସନ ସ୍ପଷ୍ଟ କରିଥିଲେ ଯେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀର କେବଳ ମାତ୍ର ଗୋଟିଏ ନିର୍ବାଚନ କେନ୍ଦ୍ରର ଇଭିଏମ୍ ଏବଂ ଭିଭିପିଏଟି ଯାଞ୍ଚ କରାଯିବ। ତେବେ ବିରୋଧୀ ଦଳଗୁଡ଼ିକ ନିର୍ବଚନ କମିଶନଙ୍କ ଏପ୍ରସ୍ତାବରେ ଏକମତ ନ ହୋଇ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।