କରୋନା ଭୟ: ସ୍କୁଲ ବନ୍ଦ ଯୋଗୁଁ ମଧ୍ୟାହ୍ନ ଭୋଜନ ସଂକଟ, ଓଡ଼ିଶା ସମେତ ସମସ୍ତ ରାଜ୍ୟଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ନିଆଯାଉଥିବା ପ୍ରତିଷେଧକମୂଳକ ପଦକ୍ଷେପ ସ୍ବରୂପ ଦେଶର କିଛି ରାଜ୍ୟମାନଙ୍କରେ ସ୍କୁଲ ଗୁଡ଼ିକୁ ବନ୍ଦ କରିଦିଆଯାଇଛି। ସ୍କୁଲ ବନ୍ଦ କରାଯିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳି ପାରୁନାହିଁ। ଏହି ମାମଲାକୁ ସୁପ୍ରିମକୋର୍ଟ ନିଜ ଆଡୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ନୋଟିସ୍ ଜାରିବା ସହ କରି ଜବାବ ତଲବ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌. ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରମାନଙ୍କୁ ନୋଟିସ୍ ଜାରି କରିବା ସହିତ କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପରିପ୍ରେକ୍ଷୀରେ ସ୍କୁଲଗୁଡ଼ିକ ବନ୍ଦ କରି ଦିଆଯିବା ପରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଉପଲବ୍ଧ କରାଇବା ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଇଛି ସେନେଇ ଜବାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ଆସନ୍ତା ସପ୍ତାହରେ ହେବ। ଆଜି ଏହି ମାମଲାରେ ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ଓକିଲ ଶିବ ଶଙ୍କର ମିଶ୍ର କୋର୍ଟରେ ଉପସ୍ଥିତ ଥିଲେ ଏବଂ ନୋଟିସକୁ ଗ୍ରହଣ କରିଥିଲେ। ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ନୋଟିସର ଜବାବ ଦାଖଲ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ଓଡ଼ିଶା, କେରଳ ଓ ଦିଲ୍ଲୀ ସମେତ ଅନେକ ରାଜ୍ୟର ସ୍କୁଲ ଗୁଡ଼ିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। କେରଳ ସରକାରଙ୍କ ଦ୍ବାରା ସ୍କୁଲ ବନ୍ଦ କରାଯାଇଥିବା ଯୋଗୁଁ ମଧ୍ୟାହ୍ନ ଭୋଜନ ଅନ୍ତର୍ଗତ ଖାଦ୍ୟ ଛାତ୍ରଛାତ୍ରୀ ମାନଙ୍କ ଘରକୁ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର