ଟ୍ବିଟର ଓ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌ : ମିଛ ଖବର ରୋକିବା ପାଇଁ କି ପଦ୍ଧତି ଆପଣେଇଛ?

ନୂଆଦିଲ୍ଲୀ : ଟ୍ବିଟର ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ମିଛ ଖବର ଓ ଘୃଣ୍ୟ ବାର୍ତ୍ତା ପ୍ରସାରଣ ସାଙ୍ଗକୁ ଦେଶଦ୍ରୋହୀ ତଥା ନିଆଁ ଲଗାଇବା ଭଳି ବିଷୟବସ୍ତୁ ପ୍ରଚାରରେ ରୋକ ଲଗାଇବା ଲାଗି ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାର ଓ ଟ୍ବିଟର କମ୍ପାନିକୁ ନୋଟିସ ଜାରି କରିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ଭୁଲ୍‌ ଖବର ମାଧ୍ୟମରେ ଓ ଜାଲ୍‌ ଆକାଉଣ୍ଟ୍‌ରେ ଉସୁକାଇବା ପରି ବାର୍ତ୍ତା ଦ୍ବାରା ଘୃଣାଭାବ ପ୍ରସାର କରୁଥିବା ଟ୍ବିଟରର ବିଜ୍ଞାପନ ଓ ଅନ୍ୟାନ୍ୟ ବିଷୟବସ୍ତୁରେ କଟକଣା ଲଗାଇବା ଲାଗି ଏକ ପ୍ରକ୍ରିୟା ନିର୍ଦ୍ଧାରିତ କରିବାକୁ ଗତବର୍ଷ ମେ ମାସରେ ଆବେଦନକାରୀ ବିଜେପି ନେତା ବିନୀତ ଗୋଏଙ୍କା ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଫେସବୁକ୍‌ ଓ ଟ୍ବିଟରରେ ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଏପରି ଶହ ଶହ ଜାଲ୍‌ ଆକାଉଣ୍ଟ୍‌ ରହିଛି ବୋଲି ସେ ଉଲ୍ଲେଖ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେହିପରି ବିଶେଷ କରି ନିର୍ବାଚନ ବେଳେ ସାମାଜିକ ଗଣମାଧ୍ୟମରେ ରାଜନୈତିକ ଦଳମାନେ ବିଭିନ୍ନ ଆକାଉଣ୍ଟ୍‌ ବ୍ୟବହାର କରି ବିରୋଧୀମାନଙ୍କ ଭାବମୂର୍ତ୍ତିରେ କଳଙ୍କ ଲଗାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଆବେଦନକାରୀ ଦର୍ଶାଇଥିଲେ। ତେବେ ଏପରି ନକାରାତ୍ମକ ଉଦ୍ଦେଶ୍ୟ ସାଧନ କରୁଥିବା ୧୨୦୦ରୁ ଅଧିକ ଟ୍ବିଟର ଆକାଉଣ୍ଟ୍‌ ନିଷିଦ୍ଧ ଘୋଷଣା ପାଇଁ ସରକାର ନିକଟରେ ନିର୍ଦ୍ଦେଶ କରିଥିବା ସମୟରେ ସୁପ୍ରିମ୍‌କୋର୍ଟ ଏଭଳି ମାମଲାର ଶୁଣାଣି ଆରମ୍ଭ କରିବା ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧିତ ଖବର