“ଏପରି ହେବା କଥା ନୁହେଁ..”କଲେଜିୟମ ବ୍ୟବସ୍ଥା ନେଇ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ

ନୂଆଦିଲ୍ଲୀ : କଲେଜିଅମ ବ୍ୟବସ୍ଥା ସଂପର୍କରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଦେଇଥିବା ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସଂଜୟ କିଷନ କୌଲ ଏ ସଂପର୍କରେ କହିଛନ୍ତି ଯେ କଲେଜିୟମ ସିଷ୍ଟମକୁ ନେଇ କେତେକ ଲୋକଙ୍କ ଭିନ୍ନମତ ରହିଛି, କିନ୍ତୁ ଏହା ଥିବା ପର୍ଯ୍ୟନ୍ତ ତାହାକୁ ମାନିବାକୁ ପଡ଼ିବ । ଆମେ ଏ ସଂପର୍କିତ ପ୍ରେସ ରିପୋର୍ଟଗୁଡ଼ିକ ଉପରେ ଆମେ ଧ୍ୟାନ ଦେଉନଥିଲୁ, କିନ୍ତୁ ଜଣେ ଉଚ୍ଚପଦରେ ଥିବା ବ୍ୟକ୍ତିଙ୍କ ଠାରୁ ଏପରି ମନ୍ତବ୍ୟ ଆସିବା କଥା ନୁହେଁ ।

ନିକଟରେ ରିଜିଜୁ କହିଥିଲେ ଯେ କଲେଜିୟମ ବ୍ୟବସ୍ଥାକୁ ନିଜେ ସୁପ୍ରିମକୋର୍ଟ ଅନୁମୋଦନ କରିଥିଲେ, କିନ୍ତୁ ଏହା ସମ୍ବିଧାନ ସମ୍ମତ ନୁହେଁ ।  କିଛି ଜଜଙ୍କ ଦ୍ବାରା ନିଆଯାଇଥିବାକୁ ନିଷ୍ପତ୍ତିକୁ ସମଗ୍ର ଦେଶ କିପରି ସମର୍ଥନ କରିବ ବୋଲି ସେ ପ୍ରଶ୍ନ କରିଥିଲେ ।

ଶୁଣାଣି ସମୟରେ ସୁପ୍ରିମ୍ କୋର୍ଟ ବାର୍ ଆସୋସିଏସନର ସଭାପତି ତଥା ବରିଷ୍ଠ ଓକିଲ ବିକାଶ ସିଂ ଆଇନ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ସଂପର୍କରେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ କୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।

ଅନ୍ୟପକ୍ଷରେ ଜଜଙ୍କ ନିଯୁକ୍ତିକୁ ନେଇ କଲେଜିୟମର ସୁପାରିଶକୁ ପାଳନ କରିବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ତାହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ବିରକ୍ତ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର