କେରଳ ବୁଲା କୁକୁର ସମସ୍ୟା ଉପରେ ସୁପ୍ରିମ୍‌କୋର୍ଟଙ୍କ ମତ: ଲୋକ ‌ରାସ୍ତାରେ କୁକୁର-କାମୁଡ଼ାର ଶିକାର ହେବା ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟ କେରଳ ବୁଲା କୁକୁର ସମସ୍ୟା ଉପରେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮ ତାରିଖକୁ ରଖିଛନ୍ତି। ଏହି ସମୟ ମଧ୍ୟରେ ସମସ୍ୟାର ସମାଧାନ ପାଇଁ କିଛି ବାଟ ବାହାର କରି ଜଣାଇବାକୁ କୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି।

ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ରାସ୍ତାରେ ଗଲାବେଳେ ଲୋକଙ୍କୁ କୁକୁର କାମୁଡ଼ିବାକୁ ଆପଣ ଦେଇପାରିବେ ନାହିଁ। ଏହା ଗ୍ରହଣୀୟ ନୁହେଁ। ଏଠି ସମସ୍ୟା ଅଛି ବୋଲି ଆମକୁ ମାନିବାକୁ ପଡ଼ିବ। ତେଣୁ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବାକୁ ପଡ଼ିବ। ଖଣ୍ଡପୀଠ କେତେକ ପ୍ରତିକାର ବିଷୟରେ ସୂଚନା ଦେଲେ, ଯଥା ବୁଲା କୁକୁରମାନଙ୍କର ଟିକାକରଣ, ସେମାନଙ୍କୁ ଯେଉଁଠି ସେଠି ଖାଇବାକୁ ନ ଦେଇ ନିର୍ଦ୍ଦିଷ୍ଟ ଜାଗାରେ ଖାଇବାକୁ ଦେବା, ଜଳାତଙ୍କ (ରାବିଜ) ରୋଗଗ୍ରସ୍ତ କୁକୁରଙ୍କ ଯତ୍ନ ନେବା ପାଇଁ ଆଶ୍ରୟସ୍ଥଳ ତିଆରି କରିବା ଇତ୍ୟାଦି। ବୁଲା କୁକୁରଙ୍କୁ ରାସ୍ତାରୁ ପୂରା ହଟାଇବା ସମ୍ଭବ ନଥିବାରୁ ସମସ୍ୟା ସମାଧାନ ପାଇଁ ବିକଳ୍ପ ପନ୍ଥା ବାହାର କରିବା ହେବ ବୋଲି କୋର୍ଟ କହିଥିଲେ।

ଆବେଦନକାରୀଙ୍କ ତରଫରୁ ଲଢ଼ୁଥିବା ଓକିଲ ବିଜୁ କହିଥିଲେ ଯେ ରାବିଜ୍ ଟିକା ନେଲା ପରେ ବି କୁକୁର କାମୁଡ଼ାରେ ଲୋକ ମରୁଛନ୍ତି। ଜଷ୍ଟିସ ଖାନ୍ନା କହିଥିଲେ ସେଥିପାଇଁ ବାଟ ବାହାର କରିବାକୁ ପଡ଼ିବ। ଯେଉଁ ନିୟମ ଅଛି ଦରକାର ହେଲେ ତାକୁ ବଦଳାଇବାକୁ ପଡ଼ିବ। ଆପଣମାନେ ଭାବିଚିନ୍ତି ପ୍ରସ୍ତାବ ଦିଅନ୍ତୁ। ପାଗଳା କୁକୁରମାନଙ୍କୁ ଅଲଗା ବା ସଂଗରୋଧରେ ରଖିବା ଉପରେ ସେ ଗୁରୁତ୍ବ ଦେଇଥିଲେ। କୌଣସି କୁକୁରଙ୍କୁ ମାରିଦେବା ପାଇଁ କେବେହେଲେ କୋର୍ଟ କହିବେ ନାହିଁ କାରଣ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି। ସବୁ ପକ୍ଷଙ୍କଠାରୁ ପ୍ରସ୍ତାବ ମିଳିବା ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୨୮ରେ କରାଯିବ ବୋଲି କୋର୍ଟ କହିଥିଲେ।

ସମ୍ବନ୍ଧିତ ଖବର