ପ୍ରବାସୀ ଶ୍ରମିକ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ : ରାଜ୍ୟ ସରକାର ଭଡ଼ା ଦେବେ

ଶ୍ରମିକଙ୍କୁ ଖାଦ୍ୟ, ପାଣି ଓ ଅନ୍ୟ ସୁବିଧା ଯୋଗାଇ ଦିଅ
୯୧ ଲକ୍ଷ ପ୍ରବାସୀଙ୍କୁ ଘରକୁ ପଠାଯାଇଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହୋଇଥିବା ଦୁର୍ଦ୍ଦଶା ନେଇ ଆଜି ସୁପ୍ରିମ୍‌ କୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ ସଂଜୟ କିଶନ କୌଲ ଏବଂ ଜଷ୍ଟିସ୍‌ ଏମ୍‌ ଆର୍‌ ଶାହଙ୍କ ଖଣ୍ଡପୀଠ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ମାମଲାର ଶୁଣାଣି କରି ପ୍ରବାସୀ ଶ୍ରମିକଙ୍କଠାରୁ ଯାତ୍ରା ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କୌଣସି ରେଳ/ବସ୍ ଭଡ଼ା ଆଦାୟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରମିକମାନେ ଘରକୁ ଫେରିବା ପାଇଁ ପଂଜୀକରଣ କରାଇବା ପରେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କୁ ଦୀର୍ଘ ଦିନ ଧରି କାହିଁକି ଅପେକ୍ଷା କରିବାକୁ ପଡ଼ୁଛି ବୋଲି କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିବା ସହ ଏ ବାବଦ ସମସ୍ୟାର ସମାଧାନ ଜରୁରୀ ବୋଲି କହିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଭଡ଼ା କିଏ ପଇଠ କରିବ ସେ ବାବଦରେ ସରକାରଙ୍କ ସ୍ପଷ୍ଟ ନୀତି ନାହିଁ। ଏ ବାବଦ ଦ୍ବନ୍ଦ୍ବରୁ ଦଲାଲମାନେ ଫାଇଦା ଉଠାଉଛନ୍ତି ବୋଲି କୋର୍ଟ କହିଛନ୍ତି। ଶ୍ରମିକମାନଙ୍କଠାରୁ ଭଡ଼ା ଆଦୌ ଆଦାୟ କରାଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଶ୍ରମିକଙ୍କଠାରୁ ଭଡ଼ା ଆଦାୟ କରିବା ଏବଂ ପରେ ପୁଣି ଫେରସ୍ତ ଦିଆଯିବାକୁ ନେଇ ମଧ୍ୟ ବିବାଦୀୟ ସ୍ଥିତି ଉପୁଜିଥିବାରୁ ସୁପ୍ରିମ୍‌ କୋର୍ଟ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

କୋର୍ଟ କହିଛନ୍ତି ଯେ ‌ଟ୍ରେନ/ବସ୍ ଭଡ଼ା ରାଜ୍ୟମାନେ ବହନ କରିବେ। ରାଜ୍ୟମାନେ ଅନୁରୋଧ କରିବା ମାତ୍ରେ ରେଳ ବିଭାଗ ଟ୍ରେନ ବ୍ୟବସ୍ଥା କରିବ। ଯେଉଁ ଷ୍ଟେସନରୁ ଟ୍ରେନ ବାହାରିବ ସେହି ରାଜ୍ୟ ପ୍ରବାସୀମାନଙ୍କ ଲାଗି ଖାଦ୍ୟ ‌ବ୍ୟବସ୍ଥା କରିବେ। ଯାତ୍ରା ବେଳେ ଏହି ସୁବିଧା ରେଳ ବିଭାଗ ଯୋଗାଇବ। କୌଣସି ପ୍ରବାସୀଙ୍କୁ ଚାଲିବାକୁ ଦିଆନଯାଉ। ପ୍ରବସୀଙ୍କୁ ସ‌ଙ୍ଗେ ସଙ୍ଗେ ଆଶ୍ରୟସ୍ଥଳରେ ରଖିବା ସହିତ ସେମାନଙ୍କ ନିଜ ନିଜ ଘରକୁ ଫେରିବା ଲାଗି ବସ/ଟ୍ରେନର ବ୍ୟବସ୍ଥା କରାଯାଉ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖି କହିଥିଲେ ଯେ ମେ ୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ୯୧ ଲକ୍ଷ ପ୍ରବାସୀଙ୍କୁ ଟ୍ରେନ୍‌ ଏବଂ ସଡ଼କ ପଥ ମାଧ୍ୟମରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରବାସୀ ଶ୍ରମିକଙ୍କ ପରିବହନ ମାମଲାରେ ଉପଯୁକ୍ତ ତାଳମେଳ ରଖି କାମ କାମ କରୁଛନ୍ତି ବୋଲି ସଲିସିଟିର ଜେନେରାଲ ଖଣ୍ଡପୀଠକୁ ଅବଗତ କରାଇଥିଲେ।

ତେବେ ଯାତ୍ରା ସମୟରେ ଶ୍ରମିକମାନେ ଯେଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ନେଇ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିବା ସହ ଯାତ୍ରା କାଳରେ ଶ୍ରମିକମାନଙ୍କୁ ଖାଦ୍ୟ, ପାଣି ଏବଂ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପ୍ରବାସୀ ଶ୍ରମିକମାନେ ଅସ୍ଥାୟୀ କ୍ୟାମ୍ପ୍‌ରେ ଲକ୍‌ଡାଉନ୍‌ ଯୋଗୁଁ ରହିବାକୁ ବାଧ୍ୟ ହୋଇଛନ୍ତି ସେମାନେ ଦୁର୍ଦ୍ଦଶାରେ ଅଛନ୍ତି ଏବଂ ମହାରାଷ୍ଟ୍ରରେ ଏହି ସମସ୍ୟା ଉତ୍କଟ ହୋଇଛି ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର