ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଆଜି କ୍ଷୁବ୍ଧ ହୋଇଛନ୍ତି। ପରିବହନ ପ୍ରକଳ୍ପ (ରିଜିଓନାଲ ରାପିଡ୍‌ ଟ୍ରାନ୍ସପୋର୍ଟ ସିଷ୍ଟମ (ଆର୍‌ଆର୍‌ଟିଏସ୍‌)କୁ ଗତ ଜୁଲାଇ ମାସରେ ପାଣ୍ଠି ଦେବାପାଇଁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। ତେଣୁ ବିଜ୍ଞାପନ ବଜେଟ୍‌ରୁ ଆର୍‌ଆର୍‌ଟିଏସ୍‌ ପ୍ରକଳ୍ପକୁ ୪୧୫ କୋଟି ଟଙ୍କା ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦିଲ୍ଲୀ ସରକାରଙ୍କ ଆଇନଜୀବୀଙ୍କ ଅନୁରୋଧକ୍ରମେ ସୁପ୍ରିମକୋର୍ଟ ଉକ୍ତ ଆଦେଶକୁ ସ‌ପ୍ତାହେ ଲାଗି ସ୍ଥଗିତ ରଖିଛନ୍ତି। ସପ୍ତାହେ ଭିତରେ ଯଦି ସରକାର ଆର୍‌ଆର୍‌ଟିଏସ୍‌ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇ ନଦେବେ ତାହେଲେ ଏହାକୁ କାର୍ଯ୍ୟକାରୀ କରାଯିବ। ବିଚାରପତି ସଞ୍ଜୟ କିଷାନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟକୁ ତୁମେ ମନଇଚ୍ଛା ଗ୍ରହଣ କରିପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହିତ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ ତାରିଖରେ କରିବାକୁ ନିଷ୍ପତ୍ତି ହୋଇଛି।