ନୂଆଦିଲ୍ଲୀ: ଦେଶରେ ନର୍ଦ୍ଦମା ସୁଡ଼ଙ୍ଗ ଏବଂ ପାଇଖାନା ଟାଙ୍କି ସଫାବେଳେ ଅନେକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁହେବା ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ଏସଂକ୍ରାନ୍ତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଆଜି ସରକାରଙ୍କୁ ଅତି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ନର୍ଦ୍ଦମା ଏବଂ ପାଇଖାନା ଟାଙ୍କି ସଫା କରିବା ସମୟରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ପରିବାର ସଦସ୍ୟଙ୍କୁ ସରକାରୀ କର୍ତ୍ତୃପକ୍ଷ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ। ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍‌ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି, ନର୍ଦ୍ଦମା ଏବଂ ପାଇଖାନା ଟାଙ୍କି ସଫା ସମୟରେ ଯଦି ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ବିକଳାଙ୍ଗ ‌ହୋଇଯାଆନ୍ତି ତେବେ ତାଙ୍କୁ ଅତି କମ୍‌ରେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ।

Advertisment

ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ହାତରେ ମଇଳା ସଫା ଭଳି କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା କାର୍ଯ୍ୟକୁ ନିଶ୍ଚିତ କରିବା ଉଚିତ। ଏହି ରାୟ ଶୁଣାଇ ଜଷ୍ଟିସ ଭଟ୍ଟ କହିଛନ୍ତି, ପାଇଖାନା ଟାଙ୍କି ସଫା ବେଳେ ସଫେଇ କର୍ମଚାରୀ ଯଦି ଅନ୍ୟ କୌଣସି ବିକଳାଙ୍ଗ ଅବସ୍ଥାର ଶିକାର ହୁଅନ୍ତି ତେବେ କର୍ତ୍ତୃପକ୍ଷ ତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିବ। ଖଣ୍ଡପୀଠ ମଧ୍ୟ ଏନେଇ କିଛି ନିର୍ଦ୍ଦେଶାବଳି ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୫ ବର୍ଷ ମଧ୍ୟରେ ଦେଶରେ ନର୍ଦ୍ଦମା ଏବଂ ପାଇଖାନା ଟାଙ୍କି ସଫା ସମୟରେ ୩୪୭ ଲୋକଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ, ତାମିଲନାଡ଼ୁ ଏବଂ ଦିଲ୍ଲୀରେ ସର୍ବାଧିକ ୪୦ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି। ୨୦୨୨ ଜୁଲାଇରେ ସରକାର ଲୋକସଭାରେ ରଖିଥିବା ତଥ୍ୟରୁ ଏହା ଜଣାପଡ଼ିଛି।