ସିରାଜୁଦ୍ଦିନ ଖଣି ଖୋଲିବାକୁ ଅନୁମତି

ନୂଆଦିଲ୍ଲୀ : ସମ୍ପୂର୍ଣ୍ଣ ଜରିମାନା ଅର୍ଥ ସୁଧ ସହିତ ପୈଠ କରିବା ପରେ ବନ୍ଦ ପଡ଼ିଥିବା ସିରାଜୁଦ୍ଦିନ କମ୍ପାନିର ବଳଦା ଖଣିକୁ ଖୋଲିବା ପାଇଁ ଆଜି ସୁପ୍ରିମକୋର୍ଟର ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଅନୁମତି ଦେଇଛନ୍ତି।

ସୂଚନାନୁଯାୟୀ, ଗତବର୍ଷ ଅଗଷ୍ଟ ୨ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ, ନିର୍ଦ୍ଧାରିତ ସମୟ ସୀମା ୨୦୧୭ ଡିସେମ୍ବର ୩୧ ସୁଦ୍ଧା ବେଆଇନ୍‌ ଖଣିଜ ଉତ୍ତୋଳନ ଏବଂ ଅନ୍ୟାନ୍ୟ ଆଇନ୍‌ର ଉଲ୍ଲଂଘନ କରିଥିବା ଖଣି ମାଲିକ ଶତ ପ୍ରତିଶତ ଜରିମାନା ପୈଠ କରିବାର ଥିଲା। କିନ୍ତୁ ସିରାଜୁଦ୍ଦିନ ମାଇନ୍ସ ଏହି ସମୟ ଅବଧି ମଧ୍ୟରେ ଜରିମାନା ପୈଠ କରିନପାରିବାରୁ ରାଜ୍ୟ ସରକାର କମ୍ପାନିର ବଳଦା ଖଣି ବନ୍ଦ କରିଦେଇଥିଲେ। ପରେ କମ୍ପାନ ସୁଧ ସହିତ ଜରିମାନା ରାଶି ପୈଠ କରି ଖଣି ଖୋଲିବାକୁ ଆବେଦନ କରିଥିଲା। ଅପରପକ୍ଷେ, ଆଜି ଶୁଣାଣି ସମୟରେ ସିରାଜୁଦ୍ଦିନ ମାଇନ୍ସ ଖଣିଜ ରିହାତି ଆଇନ୍‌ ଧାରା ୩୭ର ଉଲ୍ଲଂଘନ କରିଥିବା ପ୍ରସଙ୍ଗର ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ କମିଟିକୁ ପଠାଇବାକୁ ଆମିକସ୍‌ କ୍ୟୁରି ଏ.ଡି.ଏନ୍‌.ରାଓ ନିବେଦନ କରିଥିଲେ। ଖଣ୍ଡପୀଠ ଏହି ମାମଲାର ଅନୁଧ୍ୟାନ ପାଇଁ କମିଟି ନିକଟକୁ ସୁପାରିସ କରିଥିବା ବେଳେ କମିଟିର ରିପୋର୍ଟ ଅନୁଯାୟୀ ଶୁଣାଣି କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର