କେନ୍ଦ୍ର ଓ ରାଜ୍ୟମାନଙ୍କୁ ସୁପ୍ରିମ‌କୋର୍ଟଙ୍କ ନିର୍ଦ୍ଦେଶ, ୧୫ ଦିନ ମଧ୍ୟରେ ପ୍ରବାସୀ ଶମ୍ରିକଙ୍କୁ ଘରକୁ ପଠାଅ

ନୂଆଦିଲ୍ଲୀ: ଦେଶବ୍ୟାପୀ ପ୍ରବାସୀମାନଙ୍କ ଦୁର୍ଦ୍ଦଶା ଦେଖିବାପରେ ସୁପ୍ରିମକୋର୍ଟ ଉକ୍ତ ମାମଲାକୁ ଗମ୍ଭୀରତାର ସହ ନେଇଥିଲେ ଏବଂ ନିଜଆଡ଼ୁ ଉକ୍ତ ମାମଲାରେ ଶୁଣାଣି ଆରମ୍ଭ କରିଥିଲେ। ଆଜି ମଧ୍ୟ ପ୍ରବାସୀ ଶ୍ରମିକଙ୍କ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ କୋର୍ଟ ଆଜି କେନ୍ଦ୍ର ସରକାର ଏବଂ ରାଜ୍ୟମାନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାର ୧୫ ଦିନ ମଧ୍ୟରେ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା କାର୍ଯ୍ୟ ଶେଷ କରନ୍ତୁ ବୋଲି କୋର୍ଟ କହିଛନ୍ତି। ରାଜ୍ୟମାନଙ୍କୁ ଏଥିପାଇଁ କେବଳ ୧୫ ଦିନ ଅଧିକ ସମୟ ଦିଆଯାଇପାରିବ ବୋଲି କୋର୍ଟ ସ୍ପଷ୍ଟ ଭାବେ ଶୁଣାଇ ଦେଇଛନ୍ତି। ଜଷ୍ଟିସ୍‌ ଅଶୋକ ଭୂଷଣ, ଏସ୍‌ କେ କୌଲ୍‌ ଏବଂ ଏମ୍‌ଆର ଶାହଙ୍କ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରି କହିଛନ୍ତି, ସମସ୍ତ ରାଜ୍ୟ ସରକାର ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ। ମାମଲାର ଶୁଣାଣି ସମୟରେ ଆଜି କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ଉପସ୍ଥିତ ଥିଲେ। ମେହଟା କହିଛନ୍ତି ପ୍ରବାସୀମାନଙ୍କୁ ସେମାନଙ୍କ ଘରକୁ ପଠାଇବାପାଇଁ ଜୁନ୍‌ ୩ ତାରିଖ ପର୍ଯ୍ୟନ୍ତ ୪,୨୦୦ରୁ ଅଧିକ ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌ ମୁତୟନ କରାଯାଇଛି।

ଆଜି ପର୍ଯ୍ୟନ୍ତ ୧ କୋଟିରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଛି ଏବଂ ଉତ୍ତରପ୍ର‌‌ଦେଶ ଓ ବିହାର ଅଭିମୁଖେ ଅଧିକ ଟ୍ରେନ୍‌ ଯାଇଛି ବୋଲି ମେହଟା କହିଛନ୍ତି। ସେ କହିଛନ୍ତି କେତେ ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କୁ ଅନ୍ୟତ୍ର ପଠାଯିବ ଏବଂ ଏଥିପାଇଁ କେତେ ଟ୍ରେନ୍‌ ଆବଶ୍ୟକ ସେନେଇ ରାଜ୍ୟ ସରକାରମାନେ ତଥ୍ୟ ଦିଅନ୍ତୁ। ଅନ୍ୟପ‌‌କ୍ଷେ ଆଜି ଶୁଣାଣି ସମୟରେ ବିହାର ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ରଂଜିତ କୁମାର କହିଛନ୍ତି, ପ୍ରା‌ୟ ୨୮ ଲକ୍ଷ ଲୋକ ବିହାରକୁ ଫେରିଛନ୍ତି ଏବଂ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାପାଇଁ ପ୍ରକ୍ରିୟା ଜାରି ରହିଛି। ଗୁଜରାଟ ସରକାର କହିଛନ୍ତି, ରାଜ୍ୟରୁ ୨୦.୫୦ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଯାଇଛି। ପ୍ରବାସୀ ଶ୍ରମିକଙ୍କ ମାମଲାରେ ଜାତୀୟ ମାନବାଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି) ହସ୍ତକ୍ଷେପ କରିପାରିବେ ବୋଲି ସୁପ୍ରିମ କୋର୍ଟ ତାଙ୍କ ରାୟରେ କହିଛନ୍ତି।

ସମ୍ବନ୍ଧିତ ଖବର