ଶନିବାର ଅପରାହ୍‌ଣ ୪ଟା ସୁଦ୍ଧା ବହୁମତ ସାବ୍ୟସ୍ତ କରିବାକୁ ୟାଦୁରପ୍ପାଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶନିବାର ଅପରାହ୍‌ଣରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟାଦୁରପ୍ପାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟି ଏ କେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ବେଞ୍ଚ ଆଜି କର୍ଣ୍ଣାଟକ ମାମଲାରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ବହୁମତ ନ ଥାଇ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ବିଜେପି ବିଧାୟକ ଦଳ ନେତା ବିଏସ ୟାଦୁରପ୍ପାଙ୍କୁ ସରକାର ଗଠନ ପାଇଁ ସୁଯୋଗ ଦେଇଥିବା ପରିପ୍ରେକ୍ଷୀରେ କଂଗ୍ରେସ ଓ ଜେଡିଏସ ପକ୍ଷରୁ ସୁପ୍ରି୍ରମ କୋର୍ଟରେ ବିଳମ୍ବିତ ରାତିରେ ଆବେଦନ କରାଯାଇଥିଲା। ମାମଲାର ବିଚାର ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ସୁପ୍ରିମ କୋର୍ଟର ଏକ ୩ ଜଣିଆ ବେଞ୍ଚ ଗଠନ କରିଥିଲେ। ଏହି ବେଞ୍ଚ ଗତକାଲି ସକାଳେ ୟାଦୁରପ୍ପାଙ୍କ ଶପଥଗ୍ରହଣ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନ ଥିଲେ ମଧ୍ୟ ଆଜି ସେ ରାଜ୍ୟପାଳଙ୍କୁ ଦେଇଥିବା ଚିଠି ସୁପ୍ରିମ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ମାମଲାର ଶୁଣାଣି ଆଜି ସକାଳ ସାଢ଼େ ୧୦ଟା ବେଳେ ଆରମ୍ଭ ହୋଇଥିଲା। କଂଗ୍ରେସ ଓ ଜେଡିଏସ ପକ୍ଷରୁ ବରିଷ୍ଠ କଗ୍ରେସ ନତା ତଥା ଆଇନଜୀବୀ ଅଭିଷେକ ସିଙ୍ଗଭି ଦାବି କରିଥିଲେ ଯେ ଯେତେ ଶ୍ରୀଘ୍ର ସମ୍ଭବ ବିଧାନସଭାରେ ଶକ୍ତି ପରୀକ୍ଷା କରାଯାଉ। ମାତ୍ର ବିଜେପି ପକ୍ଷରୁ ଲଢ଼ୁଥିବା ଆଇନଜୀବୀ ମୁକୁଲ ରୋହତଗୀରୋହତଗୀ କହିଥିଲେ ଯେ ଅନ୍ତତଃ ବହୁମତ ସାବ୍ୟସ୍ତ କରିବା ପାଇଁ ୟଦୁରପ୍ପାଙ୍କୁ ୭ ଦିନ ସମୟ ଦିଆଯାଉ। ମାତ୍ର ସୁପ୍ରିମ କୋର୍ଟ ଏହି ପ୍ରସ୍ତାବକୁ ଖାରଜ କରି ଆସନ୍ତା କାଲି ଅର୍ଥାତ ଶନିବାର ଅପରାହ୍ଣ ୪ଟା ସୁଦ୍ଧା ୟାଦୁରପ୍ପା ବିଧାନସଭାରେ ଶକ୍ତି ପରୀକ୍ଷାଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଆଗାମୀ ୧୫ ଦିନ ମଧ୍ୟରେ ବିଧାସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ରାଜ୍ୟପାଳ ବାଜୁଭାଇ ବାଲା ୟାଦୁରପ୍ପାଙ୍କୁ ନିଦ୍ଦେଶ ଦେଇଥିଲେ। ମାତ୍ର ସର୍ବୋଚ୍ଚ ଅଦାଲତ ଏହାକୁ ହ୍ରାସ କରି ଶନିବାର ଅପରାହ୍ଣ ୪ଟା ସୁଦ୍ଧା ବହୁମତ ସାବ୍ୟସ୍ତ କରିବା ପାଇଁ ୟାଦୁରପ୍ପାଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର