ହସ୍ତକ୍ଷେପ କଲେ ସୁପ୍ରିମ କୋର୍ଟ : କର୍ଣ୍ଣାଟକରେ ଶକ୍ତି ପରୀକ୍ଷା ଆଜି

ବେଙ୍ଗାଲୁରୁ : ସଂଖ୍ୟା ଗଣିତରେ ଫସିଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ପାଇଁ ଏବେ ଅଗ୍ନିପରୀକ୍ଷାର ସମୟ। ରାଜ୍ୟପାଳ ତାଙ୍କୁ ସଂଖ୍ୟାଗରିଷ୍ଠତା ପାଇଁ ଦେଇଥିବା ୧୫ ଦିନ ସମୟକୁ ସୁପ୍ରିମ୍‌ କୋର୍ଟ ୪୮ ଘଣ୍ଟାରେ ସୀମିତ ରଖିଛନ୍ତି। ଆଜି ସୁପ୍ରିମ୍‌ କୋର୍ଟରେ ବିଜେପି ଓ କଂଗ୍ରେସ -ଜେଡିଏସ୍‌ ମେଣ୍ଟ ରାଜ୍ୟପାଳଙ୍କୁ ସରକାର ଗଠନ ପାଇଁ ଦାବି ଜଣାଇ ଦେଇଥିବା ତାଲିକା ଉପସ୍ଥାପନ କରିଥିଲେ। ଉଭୟ ପକ୍ଷକୁ ଶୁଣିବା ପରେ ଆସନ୍ତାକାଲି ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ତାଙ୍କ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ବାବଦ ଶୁଣାଣି କରି ଖଣ୍ଡପୀଠର ନେତୃତ୍ୱ ନେଉଥିବା ବିଚାରପତି ଏ.କେ. ସିକ୍ରି କହିଥିଲେ ‘ଯାହା ସବୁ ଚାଲିଛି ତାହା କେବଳ ସଂଖ୍ୟାର ଖେଳ, ଗୃହରେ ଶକ୍ତି ପରୀକ୍ଷା ହେଲେ କାହାର କେତେକ ଦମ୍‌ ତାହା ଜଣାପଡ଼ିଯିବ।’

ଜଷ୍ଟିସ ସିକ୍ରି, ଏସ୍‌୍‌.ଏ. ବୋବଡେ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରଠାରୁ ୪୮ ଘଣ୍ଟା ମଧ୍ୟରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ହୋଇଯିବା ଆବଶ୍ୟକ ଏବଂ ଏଥିପାଇଁ ଏବେ ଆଉ ୨୪ ଘଣ୍ଟା ରହିଯାଇଛି। ତେଣୁ ଆସନ୍ତାକାଲି ଅପରାହ୍ନ ୪ଟାରେ ଆସ୍ଥା ଭୋଟ୍‌ ଲୋଡ଼ିବାକୁ ସମୟ ଧାର୍ଯ୍ୟ ହୋଇଛି । ୟେଦୁରପ୍ପା ଏବଂ ବିଜେପି ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତୋଗି ଖଣ୍ଡପୀଠଙ୍କୁ କହିଥିଲେ ଯେ କଂଗ୍ରେସ ତାର ବିଧାୟକମାନଙ୍କୁ କୋଚିରେ ବନ୍ଦୀ କରି ରଖିଛି ଏବଂ ବିଜେପି ବିଧାୟକମାନେ ଏଣେତେଣେ ଅଛନ୍ତି। ଏହାର ଜବାବରେ ଜଷ୍ଟିସ୍‌ ସିକ୍ରି ହ୍ଵାଟ୍‌୍‌ସ ଆପ୍‌ରେ ଚାଲିଥିବା ଏକ କୌତୁକପୂର୍ଣ୍ଣ ପୋଷ୍ଟ ସଂପର୍କରେ ଉଲ୍ଲେଖ କରିଥିଲେ- ଜଣେ ହୋଟେଲ ମାଲିକ ରାଜ୍ୟପାଳଙ୍କୁ ପତ୍ର ଲେଖି ତାଙ୍କ ପାଖରେ ୧୧୭ ବିଧାୟକ ଥିବା କହିଛନ୍ତି ଏବଂ ସେ ସରକାର ଗଠନ କରିବାକୁ ଚାହୁଛନ୍ତି। ବିଚାରପତିଙ୍କ ଏହି ହ୍ଵାଟ୍‌୍‌ସ ଆପ୍‌ ଜୋକ୍‌ କୋର୍ଟ ରୁମ୍‌୍‌ରେ ହାସ୍ୟରୋଳ ସୃଷ୍ଟି କରିଥିଲା। ତେବେ ୨୪ ଘଣ୍ଟା ଭିତରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କହିବା ଠିକ୍‌ ହେଉନାହିଁ ବୋଲି ରୋହତଗି ବାରମ୍ବାର କହିବା ପରେ ଜଷ୍ଟିସ ସକ୍ରି କହିଥିଲେ ଯେ ଶକ୍ତି ପରୀକ୍ଷା କାଲି ହିଁ ହେବ ଏବଂ ଏଥିପାଇଁ କେହିବି ସମୟ ପାଇବା ଉଚିତ ନୁହେଁ। ଆମେ କୌଣସି ରାଜନୈତିକ ଦଳକୁ ଦେଖି ଏଭଳି ନିଷ୍ପତ୍ତି ନେଇନାହୁ ବୋଲି ଜଷ୍ଟିସ୍‌ ସିକ୍ରି କହିଥିଲେ।

ତେବେ ସରକାର ଗଠନ ପାଇଁ ରାଜ୍ୟପାଳ କେଉଁ ଦଳକୁ ଆମନ୍ତ୍ରଣ କରିବା ଉଚିତ ଥିଲା ସେ ସଂପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ପ୍ରୋଟେମ୍‌ ସ୍ପିକର୍‌ (ଅସ୍ଥାୟୀ ବାଚସ୍ପତି)ଙ୍କ ଦ୍ୱାରା ବିଧାନସଭାରେ ଆସ୍ଥା ଭୋଟ୍‌ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଆସ୍ଥା ଭୋଟ୍‌ ପର୍ଯ୍ୟନ୍ତ ବିଜେପି ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି। କଂଗ୍ରେସ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନ ଅଭିଷେକ ମନୁ ସିଂଗଭୀ କହିଛନ୍ତି ଯେ ଯେଉଁ ଦଳର ସଂଖ୍ୟା ୧୦୪, ତାହାକୁ ରାଜ୍ୟପାଳ ସରକାର ଗଠନ ପାଇଁ ସୁଯୋଗ ଦେଇଥିବା ବେଳେ ୧୧୭ ବିଧାୟକଙ୍କ ସମର୍ଥନ ଥିବା ପକ୍ଷକୁ ଅଣଦେଖା କରିଥିବାରୁ ଏହା ଏକ ବଡ଼ ସାମ୍ବିଧାନିକ ସମସ୍ୟା ସୃଷ୍ଟି କରିଛି । ଆଜି ସୁପ୍ରିମ୍‌ କୋର୍ଟ ଏ ଦିଗରେ ନେଇଥିବା ନିଷ୍ପତ୍ତି ଐତିହାସିକ ବୋଲି ସିଂଗଭୀ କହିଛନ୍ତି। ଏହା ସହିତ ବିଧାନସଭାରେ କୌଣସି ଏଙ୍ଗ୍‌ଲୋ ଇଣ୍ଡିଆନ ସୁମଦାୟର ନୂତନ ବିଧାୟକ ମନୋନୀନ କରାଯାଇପାରିବ ନାହିଁ ବୋଲି ମଧ୍ୟ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଥିବା ସିଂଗଭୀ କହିଛନ୍ତି।

ଆଜି ଶୁଣାଣିରେ ଖଣ୍ଡପୀଠ କହିଥିଲେ ଯେ ୨୪ ଘଣ୍ଟା ମଧ୍ୟରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ହିଁ ଏଭଳି ମାମଲାରେ ସର୍ବୋତ୍ତମ ବିକଳ୍ପ। ବିଧାନସଭାରେ ଶକ୍ତି ପରୀକ୍ଷା ଦୃଷ୍ଟିରୁ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ କର୍ଣ୍ଣାଟକ ପୁଲିସ ମହାନିର୍ଦ୍ଦେଶକଙ୍କୁୁ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସର ଓକିଲ ସିଂଗଭୀ ବିଧାନସଭାରେ ଶକ୍ତି ପରୀକ୍ଷା ସମୟରେ ଭିଡିଓ ରେକର୍ଡିଂ କରାଯିବାକୁ ଦାବି କରିଥିଲେ। କିନ୍ତୁ ଏଥିରେ ଖଣ୍ଡପୀଠ କହିଥିଲେ ଯେ ଏଭଳି ନିଷ୍ପତ୍ତି ନେବା ଅଧିକାର ରାଜ୍ୟପାଳଙ୍କ ଉପରେ ଛାଡ଼ି ଦିଆଯିବା ଉଚିତ । ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ ବେଣୁଗୋପାଳ ଏବଂ ବିଜେପି ଓକିଲ ରୋହତଗି କହିଥିଲେ, ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରି ରାଜ୍ୟପାଳ ବିବେକପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ତରଫରୁ ଦଳର ବରିଷ୍ଠ ନେତା ପି ଚିଦମ୍ବରମ ଏବଂ କପିଲ ସିବ୍ଦଲ ମଧ୍ୟ ଶୁଣାଣି ବେଳେ ଉପସ୍ଥିତ ଥିଲେ। ସୁପ୍ରିମ୍‌ କୋର୍ଟ କୋର୍ଟଥିଲେ ନିର୍ବାଚନ ପୂର୍ବରୁ ମେଣ୍ଟ ଏବଂ ନିର୍ବାଚନ ପରେ ମେଣ୍ଟ ମଧ୍ୟରେ ବହୁତ ଫରକ ରହିଛି । ଜନସାଧାରଣଙ୍କୁ ନିର୍ବାଚନ ପୂର୍ବ ମେଣ୍ଟ ସଂପର୍କରେ ଜଣାଥାଏ, କିନ୍ତୁ ନିର୍ବାଚନ ପରବର୍ତ୍ତୀ ମେଣ୍ଟ କେତେକ ଦୃଷ୍ଟିରୁ ଉପରଠାଉରିଆ ଥାଏ। ତେଣୁ ଗୃହରେ ଶକ୍ତି ପରୀକ୍ଷାରୁ ହିଁ ଅସଲ ସ୍ଥିତି ସ୍ପଷ୍ଟ ହେବ। ସୂଚନାଯୋଗ୍ୟ କଂଗ୍ରେସ ଏବଂ ଜେଡିଏସ ସରକାର ଗଠନ ପାଇଁ ନିର୍ବାଚନ ଫଳ ଘୋଷଣା ପରେ ମେଣ୍ଟ କରିଥିବାରୁ ଏହି ପରିପ୍ରେକ୍ଷୀରେ କୋର୍ଟ ଏହି ମନ୍ତବ୍ୟ ଦେଇଥିଲେ।

୨୪ ଘଣ୍ଟା ମଧ୍ୟରେ ଶକ୍ତି ପରୀକ୍ଷା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ସମର୍ଥନ ଯୋଗାଡ଼ କରିବା ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ପାଇଁ ବିରାଟ ଚ୍ୟାଲେଂଜ ହୋଇଛି । ରାଜ୍ୟପାଳ ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ବେଳେ ୧୫ ଦିନ ସମୟ ଦେଇଥିବାରୁ ସେହି ଆଧାରରେ ୟେଦୁରପ୍ପା ତାଙ୍କ ରଣନୀତି ପ୍ରସ୍ତୁତ କରିଥିଲେ। ତେବେ ଆଜି କୋର୍ଟ ରାୟ ପରେ ବିଜେପିର ନିଦ ହଜିଯାଇଛି ।

ଇତିମଧ୍ୟରେ କର୍ଣ୍ଣାଟକ ରାଜ୍ୟପାଳ ଭାଜୁଭାଇ ଭାଲା ଆଜି ଆଉ ଏକ ବିବାଦୀୟ ନିଷ୍ପତ୍ତି ନେଇଛନ୍ତି। ନବଗଠିତ ବିଧାନସଭାରେ ବରିଷ୍ଠ ବିଧାୟକଙ୍କୁ ଉପେକ୍ଷା କରି ଜଣେ କନିଷ୍ଠ ବିଧାୟକଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ବିଜେପିର କେଜି ବୋପେୟା। ଏହାକୁ ବିରୋଧ କରି କଂଗ୍ରେସ-ଜେଡିଏସ୍‌ ଆଜି ରାତିରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମାମଲାର ବିଚାର କାଲି ସକାଳେ ହେବ। କଂଗ୍ରେସ ଅଭିଯୋଗ କରିଛି ଯେ ବୋପାୟା ହେଉଛନ୍ତି ଜଣେ ବିବାଦୀୟ ବ୍ୟକ୍ତି। ଅତୀତରେ ଅସମ୍ବିଧାନିକ ଆଚରଣ ପାଇଁ ତାଙ୍କୁ ସୁପ୍ରିମ କୋର୍ଟ ଭର୍ତ୍ସନା କରିଥିଲେ। ଏହାଛଡ଼ା ପରଂପରା ଅନୁସାରେ ବରିଷ୍ଠ ବିଧାୟକଙ୍କୁ ଅସ୍ଥାୟୀ ବାଚସ୍ପତି କରାଯିବା କଥା। ସେ ହିସାବରେ ଏମିତି ବିଧାୟକ ଅଛନ୍ତି ଯିଏକି ୮ ଥର ବିଧାୟକ ହୋଇଛନ୍ତି। କିନ୍ତୁ ବୋପାୟା ମାତ୍ର ୪ ଥର ବିଧାୟକ ହୋଇଛନ୍ତି।

ସମ୍ବନ୍ଧିତ ଖବର