ନାଲ୍‌କୋକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୩ ମାସରେ ବେଦାନ୍ତକୁ ୯୦ ହଜାର ଟନ୍‌ ଆଲୁମିନା ଦିଅ

ନୂଆଦିଲ୍ଲୀ: ବେଦାନ୍ତ ରିସୋର୍ସେସ୍‌ ଲିମିଟେଡ (ଭିଆର୍‌ଏଲ୍‌)କୁ ତିନି ମାସ ମଧ୍ୟରେ ୯୦ ହଜାର ଟନ୍ ଆଲୁମିନା ଆବଣ୍ଟନ କରିବାପାଇଁ ନାଲକୋକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନାଲ୍‌କୋ ବିରୋଧରେ ବେଦାନ୍ତର ଅଦାଲତ ଅବମାନନା ପିଟିସନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ ବୁଝାମଣା ଅନୁଯାୟୀ ସଂପୂର୍ଣ୍ଣ ବକେୟା ପରିମାଣକୁ ପ୍ରଦାନ ପାଇଁ ନାଲକୋକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ ଓ ବିଚାରପତି ଜଷ୍ଟିସ୍‌ ଭି ସୁବ୍ରମଣ୍ୟମ ଆସନ୍ତା ମେ ୧ ରୁ ଜୁଲାଇ ୩୧ ମଧ୍ୟରେ ବେଦାନ୍ତକୁ ଆଲୁମିନା ଆବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡେଲିଭରିର ୪୮ ଘଣ୍ଟା ପୂର୍ବରୁ ବେଦାନ୍ତକୁ କର୍ପୋରେଟ ଗ୍ୟାରେଣ୍ଟି ଦେବା ପାଇଁ ଖଣ୍ଡପୀଠ କହିଛନ୍ତି।

ଯାହା ଦ୍ବାରା ନାଲକୋକୁ ରପ୍ତାନି ଲାଭ ମିଳିପାରିବ। ଆଲୁମିନାର ସମୁଦାୟ ପରିମାଣକୁ ବେଦାନ୍ତକୁ ବିଶାଖାପାଟଣାରେ ଏଫ୍‌ଓବି ଆଧାରରେ ପ୍ରଦାନ କରାଯିବ। ଯାହା କି ବେଦାନ୍ତର ଝାରସୁଗୁଡ଼ାସ୍ଥିତ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ (ଏସ୍‌ଇଜେଡ୍‌)ରେ ବ୍ୟବହାର ହୋଇପାରିବ। ନାଲକୋର ଆଲୁମିନା ରପ୍ତାନି ବିଡ୍‌ରେ ବେଦାନ୍ତ ସଫଳ ହୋଇଥିବା ସତ୍ତ୍ବେ ନାଲକୋ ଆଲୁମିନା କନସାଇନ୍‌ମେଣ୍ଟକୁ ବେଦାନ୍ତର ଝାରସୁଗୁଡ଼ା ଏସ୍‌ଇଜେଡ୍‌କୁ ପଠାଇବା ପାଇଁ ଅନୁମତି ନଦେଇ ଏହାକୁ ବିଶାଖାପାଟଣା ପାଇଁ ଜୋର୍‌ ଦେଉଥିଲା। ନାଲକୋ ବେଦାନ୍ତକୁ ବିଶାଖାପାଟଣା କଷ୍ଟମ ଅଧିକାରୀଙ୍କ ଠାରୁ ଲେଟ୍ ଏକ୍ସପୋର୍ଟ ଅର୍ଡର (ଏଲ୍‌ଇଟି) ହାସଲ କରିବା ପାଇଁ ପ୍ରବର୍ତ୍ତାଉଥିଲା। ନାଲକୋ ଆଲୁମିନା ଟେଣ୍ଡରରେ ବେଦାନ୍ତ ଅଂଶ ଗ୍ରହଣ କରିପାରିବ ବୋଲି ସୁପ୍ରିମକୋର୍ଟ ଜାନୁଆରି ୧୪, ୨୦୨୦ରେ ଅନୁମତି ପ୍ରଦାନ କରିଥିଲେ। ବେଦାନ୍ତ ଦ୍ବାରା ଉଦ୍ଦେଶ୍ୟମୂଳକ ଭାବେ ସୁପ୍ରିମକୋର୍ଟଙ୍କ ଜାନୁଆରି ୨୦୨୦ ଆଦେଶକୁ ଉଲ୍ଲଂଘନ କରିଥିବା ନେଇ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା। ବେଦାନ୍ତ ଦ୍ବାରା ରୁଜୁ କରାଯାଇଥିବା ଅଦାଲତ ଅବମାନନାର ଶୁଣାଣି ସୁପ୍ରିମକୋର୍ଟ ଦୁଇ ଥର କରିବା ପରେ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ବେଦାନ୍ତ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ, ଏଏସ୍‌ ନାଦକର୍ଣ୍ଣି ଏବଂ ନାଲକୋ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ଓ ଆଡଭୋକେଟ ଅନ ରେକର୍ଡ କେଦାରନାଥ ତ୍ରିପାଠୀ ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର