ରାଜ୍ୟଗୁଡ଼ିକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ: ଦ୍ବାଦଶ ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ କର

ସାରା ଦେଶରେ ଗୋଟିଏ ମୂଲ୍ୟାୟନ ନୀତି ପାଇଁ ମନାକଲେ
୧୦ ଦିନରେ ମୂଲ୍ୟାୟନ ଯୋଜନା ପ୍ରସ୍ତୁତ କରିବାକୁ କହିଲେ

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟ ଆଜି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବୋର୍ଡଗୁଡ଼ିକୁ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜୁଲାଇ ୩୧ ସୁଦ୍ଧା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ କହିଛନ୍ତି। ବିଚାରପତି ଏ ଏମ ଖାନୱିଲକର ଏବଂ ଦିନେଶ ମାହେଶ୍ବରୀଙ୍କୁ ନେଇ ଗଠିତ ଅବସରକାଳୀନ ଖଣ୍ଡପୀଠ ୧୦ ଦିନ ଭିତରେ ମୂଲ୍ୟାୟନ ଯୋଜନାକୁ ପ୍ରସ୍ତୁତ କରିବା ଲାଗି ରାଜ୍ୟ ବୋର୍ଡ ଗୁଡ଼ିକୁ କହିଛନ୍ତି। ତେବେ ବିଭିନ୍ନ ରାଜ୍ୟଗୁଡ଼ିକୁ ଏକକ ମୂଲ୍ୟାୟନ ନୀତି ଆପଣାଇବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ କୋର୍ଟ ମନା କରିଦେଇଛନ୍ତି। ‌ବୋର୍ଡ ଗୁଡ଼ିକ କେବଳ ଭିନ୍ନ ନୁହନ୍ତି ସ୍ବୟଂଶାସିତ ମଧ୍ୟ। ତେଣୁ ଏକକ ମୂଲ୍ୟାୟନ ଯୋଜନା ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟସ୍ତରୀୟ ବୋର୍ଡ ପରୀକ୍ଷା ବାତିଲ କରିବା ପାଇଁ ହୋଇଥିବା ଏକ ପିଟିସନର ଶୁଣାଣି କରିବା ସମୟରେ ଅଦାଲତ ଉପରୋକ୍ତ ନିର୍ଦ୍ଦେଶ ଓ ଟିପ୍ପଣୀ ଦେଇଛନ୍ତି।

ଦେଶରେ ୨୧ଟି ରାଜ୍ୟର ବୋର୍ଡ ପରୀକ୍ଷା ବାତିଲ କରିସାରିଛନ୍ତି। କିନ୍ତୁ କିଛି ବୋର୍ଡ ଏବେ ପରୀକ୍ଷା ପରିଚାଳନା କରୁଥିବାବେଳେ ଆଉ କିଛି ବୋର୍ଡ ପରିସ୍ଥିତି ସ୍ବାଭାବିକ ହେଲେ ପରୀକ୍ଷା କରିବା ଲାଗି ଯୋଜନା ରଖିଛନ୍ତି। ‌ତେବେ ଆନ୍ଧ୍ର ପ୍ରଦେଶ ବୋର୍ଡ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ଯୋଜନା ଚଳାଇଥିବାବେଳେ କର୍ଣ୍ଣାଟକ ବୋର୍ଡ ଦଶମ ଶ୍ରେଣୀ ପରକ୍ଷା ପାଇଁ ଯୋଜନା ଚଳାଇଛି। କେରଳ ବୋର୍ଡ ପୂର୍ବରୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା କରିସାରିଥିବାବେଳେ ଏକାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ପାଇଁ ଯୋଜନା କରୁଛି। ଉଲ୍ଲେଖଯୋଗ୍ୟ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ମଧ୍ୟ ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର