ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନର ଭୋଟ ଗଣତିର ବ୍ୟାଲଟ୍ ପେପର ଓ ଭିଡିଓ ମଙ୍ଗଳବାର କୋର୍ଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମେୟର ନିର୍ବାଚନରେ ଦୁର୍ନୀତି ଅଭିଯୋଗ ଆଣିଥିବା ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଡେପୁଟି କମିସନରଙ୍କୁ ନୂଆ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯିଏ କି କୌଣସି ରାଜନୈତିକ ଦଳ ସହ ଜଡ଼ିତ ନଥିବେ।
ଜାନୁଆରି ୩୦ରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପି କଂଗ୍ରେସ-ଆପ୍ ମେଣ୍ଟକୁ ପରାସ୍ତ କରି ତିନିଟି ପଦ ବଜାୟ ରଖିଥିଲା। ଏହାପରେ ଆପ୍ ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କ ବିରୋଧରେ ନିର୍ବାଚନ ପ୍ରକ୍ରିୟାରେ ଜାଲିଆତି କରିଥିବା ଅଭିଯୋଗ ଆଣି ନୂଆ ନିର୍ବାଚନ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ସିସିଟିଭିକୁ ଦେଖି ଅନୀଲ ମସିହ ବାଲଟ ପେପରକୁ ଟିକ୍ କରୁଥିବାର ଏକ ଭିଡିଓ ମଧ୍ୟ ଭାଇରାଲ ହେବା ପରେ ମେୟର ନିର୍ବାଚନର ନିରପେକ୍ଷତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
ଶୁଣାଣି ସମୟରେ ଅନୀଲ ମସିହଙ୍କୁ ଖଣ୍ଡପୀଠରେ ହାଜର ହେବାକୁ ସୁପ୍ରିମକୋର୍ଟ ସମନ ଜାରି କରିଥିଲେ। ସୋମବାର ଖଣ୍ଡପୀଠ ତାଙ୍କୁ ଏହି ଭିଡିଓ ବିଷୟରେ ପଚାରିଥିଲେ ଏବଂ ସେ କାହିଁକି ସିସିଟିଭି ଯାଞ୍ଚ କରୁଛନ୍ତି ବୋଲି ପଚାରିଥିଲେ।
ଏହାର ଉତ୍ତରରେ ମସିହ କହିଥିଲେ ଯେ ସମସ୍ତ ବାଲଟ୍ ପେପର ବିକୃତ ହୋଇଛି ଏବଂ ସେ କେବଳ ସେଗୁଡ଼ିକୁ ଚିହ୍ନିତ କରୁଛନ୍ତି। ସେ କହିଛନ୍ତି, ଏତେ କ୍ୟାମେରା ଥିଲା ଯେ ମୁଁ କେବଳ ସେଗୁଡ଼ିକୁ ଦେଖୁଥିଲି।
ଏହାପରେ ଖଣ୍ଡପୀଠ ତାଙ୍କୁ ପଚାରିଥିଲେ ଯେ ସେ କାହିଁକି ବାଲଟ୍ ପେପର୍ ମାର୍କ କଲେ, ଅନିଲ ମସିହ କହିଛନ୍ତି ଯେ ବାଲାଟ୍ ପେପର୍ ମିଶ୍ରିତ ନ ହେବା ପାଇଁ ସେ ଏପରି କରିଛନ୍ତି।
‘ଅର୍ଥାତ୍ ତୁମେ ଏହାକୁ ଚିହ୍ନିତ କରିଛ। ତୁମ ବିରୋଧରେ ମାମଲା ରୁଜୁ ହେବା ଦରକାର। ନିର୍ବାଚନୀ ଗଣତନ୍ତ୍ରରେ ଏହାକୁ ଅନୁମତି ଦିଆଯାଇପାରିବ ନାହିଁ’ ବୋଲି ଖଣ୍ଡପୀଠ କହିଛନ୍ତି।