ମୁମ୍ବାଇ, ୨୮/୧: ସୁପ୍ରିମ୍ କୋର୍ଟରେ ଆଜି ମହାରାଷ୍ଟ୍ର ସରକାରକୁ ବଡ଼ ଝଟ୍କା ଲାଗିଛି। ବିଧାନସଭା ଦ୍ବାରା ନିଲମ୍ବିତ ହୋଇଥିବା ୧୨ ଜଣ ବିଜେପି ବିଧାୟକଙ୍କ ନିଲମ୍ବନ ଆଦେଶକୁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି। ଏହା ସହିତ ଯେଉଁଭଳି ଭାବେ ବିଧାୟକଙ୍କୁ ନିଲମ୍ବନ କରିବା ପାଇଁ ବିଧାନସଭା ନିଷ୍ପତ୍ତି ନେଇଥିଲା ତାହା ଅସାମ୍ବିଧାନିକ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ବିଧାୟକଙ୍କୁ ନିଲମ୍ବନ କେବଳ ସେହି ସମୟରେ ଚାଲିଥିବା ମୌସୁମି ଅଧିବେଶନ ପାଇଁ ହିଁ ହୋଇପାରିଥାନ୍ତା। କିନ୍ତୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ଏହି ବିଧାୟକମାନ ପ୍ରତି ଭିନ୍ନ ନୀତି ଗ୍ରହଣ କରାଯାଇଥିଲା ଏବଂ ସେମାନଙ୍କୁ ୧ ବର୍ଷ ନିଲମ୍ବିତ କରାଯାଇଥିଲା। ବିଧାନସଭା ବାଚସ୍ପତିଙ୍କ ପ୍ରତି ବିଜେପି ବିଧାୟକଙ୍କ ଦ୍ବାରା ଅପମାନଜନକ ଆଚରଣ କରିବା କାରଣରୁ ୬ ଜୁଲାଇରେ ୧୨ ବିଜେପି ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବନ କରାଯାଇଥିଲା। ଏହି ନିଲମ୍ବନ ଆଦେଶ ବିରୋଧରେ ବିଜେପି ବିଧାୟକମାନେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ପର୍ଯ୍ୟାପ୍ତ କାରଣ ନଥାଇ କେବଳ ରାଜନୈତିକ ଆକ୍ରୋଶ ରଖି ସେମାନଙ୍କୁ ନିଲମ୍ବନ କରାଯାଇଥିବା ସଂକ୍ରାନ୍ତ ବଳିଷ୍ଠ ଯୁକ୍ତି ରଖିଥିଲେ। ଆଜି ମାମଲାର ଶୁଣାଣି କରି ଜଷ୍ଟିସ୍ ଏଏମ୍ ଖାନ୍ୱିଲକର କହିଛନ୍ତି ଯେ ବିଧାନସଭା ଯେଭଳି ଭାବେ ସଦସ୍ୟଙ୍କୁ ନିଲମ୍ବନ ପାଇଁ ନିଷ୍ପତ୍ତି ନେଲା ତାହା କେବଳ କୌଣସି ସଦସ୍ୟଙ୍କ ପ୍ରତି ନଥିଲା ଏହା ପୂରା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ଦଣ୍ଡ ସଦୃଶ ଥିଲା।
ମହାରାଷ୍ଟ୍ର ସରକାରକୁ ବଡ଼ ଝଟ୍କା: ୧୨ ବିଜେପି ବିଧାୟକଙ୍କ ନିଲମ୍ବନ ଆଦେଶ ରଦ୍ଦ କଲେ ସୁପ୍ରିମ୍ କୋର୍ଟ
ବିଧାନସଭା ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇଲେ
/sambad/media/post_attachments/wp-content/uploads/2022/01/kar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)