ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ଉତ୍ତରପୂର୍ବ ଜିଲ୍ଲାରେ ହିଂସାକାଣ୍ଡ ନିୟନ୍ତ୍ରଣରେ ଅପାରଗପ ପୁଲିସକୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ ଭର୍ତ୍ସନା କରିଛନ୍ତି।
ଶାହୀନ୍ବାଗ ରାସ୍ତାରୁ ଅବରୋଧ ହଟାଇବା ନିମନ୍ତେ ଆଗତ ଏକ ପିଟିସନ୍ର ଶୁଣାଣି କରିବା ସମୟରେ ବିଚାରପତି କେଏମ୍ ଜୋସେଫ୍ କହିଛନ୍ତି ଯେ ଦିଲ୍ଲୀ ପୁଲିସ, ଇଂଲଣ୍ଡ ପୁଲିସ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ହିଂସାକାଣ୍ଡ ଯେ ପୁଲିସର ଉପସ୍ଥିତିରେ ଘଟୁଛି।
ଏଠାରେ ସୂଚନାଯୋଗ୍ୟ କି, ‘ସିଏଏ’-ବିରୋଧୀ ପ୍ରତିବାଦକାରୀମାନେ ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଶାହୀନବାଗ ରାସ୍ତା ଅବରୋଧ କରି ବସିଛନ୍ତି।
ବଚାରପତି ଜୋସେଫ ଆହୁରି କହିଲେ ଯେ ପୁଲିସ ପ୍ରତିଷ୍ଠାନ ପ୍ରତି ଆନୁଗତ୍ୟତା ଥିବା କାରଣରୁ ମୁଁ କିଛି କହିବାକୁ ଆବଶ୍ୟକ ମନେକରୁଛି। ସମସ୍ୟା ହେଉଛି, ପୁଲିସର ସ୍ୱାଧୀନତା ଏବଂ କୌଶଳର ଅଭାବ। ଆଇନ ଅନୁସାରେ କାମ କରିବାକୁ ପୁଲିସ କାହାର ଅନୁମତିକୁ କାହିଁକି ଅପେକ୍ଷା କରୁଛି?
/sambad/media/post_attachments/wp-content/uploads/2020/02/sc-1.jpg)
ହିଂସା ଉଦ୍ରେକ ହେବା ମାତ୍ରେ ହିଁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଖାଲି ଦିଲ୍ଲୀ କଥା ନୁହେଁ, ଯେ କୌଣସି ମାମଲାରେ ଯେକୌଣସି ରାଜ୍ୟରେ ପୁଲିସ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
ସରକାରଙ୍କ ତରଫରୁ ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ଅଦାଲତଙ୍କୁ କହିଲେ ଯେ ପୁଲିସର ମନୋବଳ ଭାଙ୍ଗିଯିବାର ସମ୍ଭାବନା ଥିବାରୁ ଦିଲ୍ଲୀ ହିଂସାକାଣ୍ଡ ଉପରେ କୌଣସି ପ୍ରତିକୂଳ ମନ୍ତବ୍ୟ ଦିଆ ନ ଯାଉ। କାରଣ ପୁଲିସ ବଳର କାର୍ଯ୍ୟକାରିତା ସମ୍ବନ୍ଧୀୟ ପ୍ରକୃତ ବ୍ୟବସ୍ଥା ବିଷୟରେ କେହି ଜାଣନ୍ତି ନାହିଁ।
ଏ କଥା ଶୁଣି ବିଚାରପତି କହିଲେ ଯେ ଏସବୁ ପ୍ରତିକୂଳ ମନ୍ତବ୍ୟ ନୁହେଁ, ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାର ପ୍ରୟାସ।
ଏବେ ପରିସ୍ଥିତି ଅନୁକୂଳ ନୁହେଁ ଦର୍ଶାଇ ଅଦାଲତ ଶାହୀନବାଗ ପ୍ରତିବାଦ ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେବାକୁ ମନା କରି ଦେଇଛନ୍ତି।
ମାର୍ଚ ୨୩ ତାରିଖ ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।