ଡ୍ୟାନ୍ସ ବାର୍‌କୁ ସୁପ୍ରିମକୋର୍ଟଙ୍କ ଅନୁମତି

କଟକଣା କୋହଳ ହେଲା, ଟଙ୍କା ଉଡ଼ାଇ ପାରିବେନି, ସିସିଟିଭି ରହିବ ନାହିଁ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ରାଜ୍ୟରେ ଡ୍ୟାନ୍ସ ବାର୍‌ ଖୋଲିବା ନେଇ ଯେଉଁ କଡ଼ା ଆଇନ ଲାଗୁ କରାଯାଇଥିଲା ତାହାକୁ ଆଜି କୋହଳ କରିଦେଇଛନ୍ତି ସୁପ୍ରିମକୋର୍ଟ। ମୁମ୍ବାଇ ସମେତ ରାଜ୍ୟର ଅନ୍ୟ ବଡ଼ବଡ଼ ସହରମାନଙ୍କରେ ଏଣିକି ଡ୍ୟାନ୍ସବାର୍‌ ଖୋଲିପାରିବ। ୨୦୦୫ ମସିହାଠାରୁ ରାଜ୍ୟରେ କୌଣସି ଡ୍ୟାନ୍ସ ବାର୍‌ ଖୋଲିବା ନେଇ ଲାଇସେନ୍ସ ମଂଜୁର ହୋଇନାହିଁ । ତେବେ କୋର୍ଟ କହିଛନ୍ତି କୌଣସି ଅଯୌକ୍ତିକ କାରଣ ଦର୍ଶାଇ ଡ୍ୟାନ୍ସବାର୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇ ପାରିବ ନାହିଁ। ସେହିପରି ଡ୍ୟାନ୍ସ ବାର୍‌ରେ ସିସିଟିଭି କ୍ୟାମେରା ଲାଗିବା ବାଧ୍ୟତାମୁଳକ ବୋଲି ମହାରାଷ୍ଟ୍ର ସରକାର ଯେଉଁ ନିୟମ ଲାଗୁ କରିଥିଲେ ତାହାକୁ ମଧ୍ୟ ଆଜି ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ଏଭଳି କାର୍ଯ୍ୟ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ କରୁଛି ବୋଲି କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ କୌଣସି ଅପରାଧ ରେକର୍ଡ ନଥିବା ଉତ୍ତମ ଚରିତ୍ରର ଲୋକଙ୍କୁ ହିଁ ଡ୍ୟାନ୍ସ ବାର୍‌ ଖୋଲିବା ନେଇ ଅନୁମତି ମିଳିପାରିବ ବୋଲି ମହାରାଷ୍ଟ୍ର ସରକାର ଯେଉଁ ନିୟମ ଲାଗୁ କରିଥିଲେ ସୁପ୍ରିମକୋର୍ଟ ଆଜି ଏଥିରେ ଅଙ୍କୁଶ ଲଗାଇଛନ୍ତି। କୋ‌ର୍ଟ କହିଛନ୍ତି ‘ଭଲ ଚରିତ୍ର’ କ’ଣ ବର୍ଣ୍ଣନା କରିବା ବହୁତ କଷ୍ଟକର । ତେବେ ବାର୍‌ରେ ଟଙ୍କା ଉଡ଼ାଇବା ଉପରେ କୋର୍ଟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଟିପ୍ସ ଦିଆଯାଇପାରିବ କିନ୍ତୁ ବାର୍‌ ମଧ୍ୟରେ ଟଙ୍କା କିମ୍ବା କଏନ୍‌ ବର୍ଷା କରାଯାଇ ପାରିବ ନାହିଁ। ଏଣିକି ବାର୍‌ରେ ମଦ ପରିବେଷଣ କରାଯାଇପାରିବ। ଏନେଇ କୋର୍ଟ ଅନୁମତି ଦେଇଛନ୍ତି। ସନ୍ଧ୍ୟା ୬ଟାରୁ ରାତି ୧୧.୩୦ ପର୍ଯ୍ୟନ୍ତ ଡ୍ୟାନ୍ସବାର୍ ଖୋଲିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର