ଐତିହାସିକ ରାୟ: ସାବରିମାଲା ମନ୍ଦିର ଭିତରକୁ ମହିଳାଙ୍କୁ ପ୍ରବେଶ ଅଧିକାର ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ କେରଳର ସାବରିମାଲା ମନ୍ଦିର ମଧ୍ୟକୁ ମହିଳାମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି। ଶହ ଶହ ବର୍ଷ ଧରି ୧୦ରୁ ୫୦ ବର୍ଷୀୟ ବର୍ଗର ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଉଥିଲା। ଏହି ପ୍ରଥାକୁ ବେଆଇନ୍‌ ଏବଂ ଅଣସାମ୍ବିଧାନିକ ବୋଲି ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇଛନ୍ତି। ସୁପ୍ରିମ୍‌ କୋର୍ଟ କହିଲେ ଯେ ସମସ୍ତ ଭକ୍ତ ସମାନ ହୋଇଥିବାରୁ ଲିଙ୍ଗ ଭେଦ ଯୋଗୁଁ ବୈଷମ୍ୟ ଅଣାଯାଇ ପାରିବ ନାହିଁ।

ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଆର୍‌ ଏଫ୍‌ ନରିମ୍ୟାନ୍‌, ଏ ଏମ୍‌ ଖାନ୍‌ଓ୍ଵିଲକର୍‌, ଡିଓ୍ଵାଇ ଚନ୍ଦ୍ରଚୂଡ଼ ଓ  ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ପାଞ୍ଚଜଣିଆ  ଖଣ୍ଡପୀଠ ୪:୧ ସଂଖ୍ୟଗରିଷ୍ଠତାରେ ମହିଳାମାନଙ୍କ ସପକ୍ଷରେ ରାୟ ଦେଇଛନ୍ତି।

ନିଜ  ରାୟରେ ଜଷ୍ଟିସ୍‌ ମିଶ୍ର କହିଥିଲେ ଯେ ପାଞ୍ଚ ଜଣ ବିଚାରପତିଙ୍କ ମଧ୍ୟରୁ ଚାରି ଜଣଙ୍କ ମତ ସମାନ ହୋଇଥିବା ବେଳେ ବିଚାରପତି ଇନ୍ଦୁ ମାଲହୋତ୍ରା ଏ ମାମଲାରେ ଭିନ୍ନ ମତ ଦେଇଛନ୍ତି। ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା କହିଲେ କି, ଧାର୍ମିକ ପ୍ରଥା କ’ଣ ତାହା ଉପାସକମାନଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯିବ? ଏହାର ନିର୍ଦ୍ଧାରଣ ବିଚାର ବିଭାଗର ଅନ୍ତର୍ଭୁକ୍ତ ନୁହେଁ। ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଆର୍‌ ଏଫ୍‌ ନରିମ୍ୟାନ୍‌, ଏ ଏମ୍‌ ଖାନ୍‌ଓ୍ଵିଲକର୍‌, ଡିଓ୍ଵାଇ ଚନ୍ଦ୍ରଚୂଡ଼ ରାୟ ଅଭିନ୍ନ ଥିଲା।

ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଲେ ଯେ ମାନସିକ ଅଭିଜ୍ଞତା ଆଧାରକୁ ଜାବୁଡ଼ି ଧରି ମହିଳାଙ୍କ ଅଧିକାର ଚପାଇ ହେବ ନାହିଁ। ପ୍ରଭୁ ଆୟାପ୍ପାଙ୍କ ଭକ୍ତମାନେ ହିନ୍ଦୁ, ଭିନ୍ନ ଧାର୍ମିକ ଗୋଷ୍ଠୀର ନୁହନ୍ତି। କୌଣସି ମାନସିକ ଏବଂ ଜୈବିକ କାରଣକୁ ବୈଧତା ମଳିବ ନାହିଁ ଯଦି ତାହା ସମୟର କଷଟି ପଥର ଅତିକ୍ରମ ନ କରି ପାରିଲା। ସାବରିମାଲା ମନ୍ଦିର ଜାରି କରିଥିବା କଟକଣାକୁ ଜରୁରୀ ଧାର୍ମିକ ପ୍ରଥା ବୋଲି ଧରା ଯାଇ ପାରିବ ନାହିଁ।

ସର୍ବୋଚ୍ଚ ଅଦାଲତ କହିଲେ ଯେ ଧାର୍ମିକ ନୈତିକତାରେ ଜଣଙ୍କ ଆତ୍ମସମ୍ମାନକୁ ବଳି ପକାଇ ହେବ ନାହିଁ, ମହିଳାଙ୍କୁ ଉପାସନା ଅଧିକାରରୁ ବଞ୍ଚିତ କରିବାକୁ ଏହା ବାହାନା ହୋଇ ପାରିବ ନାହିଁ। ଋତୁକାଳରେ ମହିଳାଙ୍କୁ ମନ୍ଦିର ପ୍ରବେଶ କରିବାକୁ ମଧ୍ୟ ମନା କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଶୁଣାଇଛନ୍ତି। ଏଭଳି ପ୍ରଥା ମହିଳାଙ୍କ ସମ୍ମାନ ବିରୋଧୀ ଏବଂ ସମ୍ବିଧାନ ଏଥିପାଇଁ ଅନୁମତି ଦିଏ ନାହିଁ।

ସମ୍ବନ୍ଧିତ ଖବର