ତାଜମହଲର ଉପଯୁକ୍ତ ରକ୍ଷଣାବେକ୍ଷଣରେ ବିଫଳ ହୋଇଥିବାରୁ ଏଏସ୍‌ଆଇ ଉପରେ ବର୍ଷିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ତାଜ୍‌ମହଲର ଉପଯୁକ୍ତ ରକ୍ଷଣାବେକ୍ଷଣରେ ବିଫଳ ହୋଇଥିବାରୁ ଦେଶର ସର୍ବୋଚ୍ଚ ନାୟ୍ୟାଳୟ ସୁପ୍ରିମ୍‌ କୋର୍ଟ ଆଜି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ) ଏଏସ୍‌ଆଇ ଉପରେ ଖୁବ୍‌ ବର୍ଷିଛନ୍ତି। ସଂପ୍ରତି କୀଟମାନଙ୍କ ଦ୍ୱାରା ସଂକ୍ରମିତ ହୋଇ ତାଜମହଲ ଘୋର କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ସୁପ୍ରିମ୍‌କୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଏହାର ନିରାକରଣ ଓ ପ୍ରତିରୋଧ ଦିଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଏଏସ୍‌ଆଇ ଓ ତାଜମହଲ ସହ ସଂପୃକ୍ତ ସଂସ୍ଥାମାନଙ୍କୁ ପ୍ରଶ୍ନ କରିଛନ୍ତି।

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ଏମ୍‌ ବି ଲୋକୁର ଓ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଗଭୀର କ୍ଷୋଭ ପ୍ରକାଶ କରି କହିଛନ୍ତି, ‘ଯଦି ଏଏସ୍‌ଆଇ କର୍ତ୍ତୃପକ୍ଷ ସୁଚାରୁ ରୂପେ ତାଙ୍କର କର୍ତ୍ତବ୍ୟ ସଂପାଦନ କରିଥାନ୍ତେ, ତେବେ ଆଜି ଏପ୍ରକାର ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା। ପୁଣି, ନିଜକୁ ସୁରକ୍ଷା ଦେବାକୁ ଯାଇ ଏଏସ୍‌ଆଇ ଯେପରି ଆତ୍ମରକ୍ଷାମୂଳକ କଥା କହୁଛି ତାହା ଆମକୁ ଆହୁରି ବିସ୍ମିତ କରିଛି।’ ଏପରିସ୍ଥିତିରେ ତାଜମହଲ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଏଏସ୍‌ଆଇର ଆବଶ୍ୟକତା ଅଛି ନା ନାହିଁ ସେକଥା ମଧ୍ୟ ଯଥାଶୀଘ୍ର କେନ୍ଦ୍ର ସରକାରଙ୍କ ଠାରୁ ବୁଝି କୋର୍ଟଙ୍କୁ ଜଣାଇବା ପାଇଁ ଅତିରିକ୍ତ ସଲିସିଟର ଜେନେରାଲ ଏଏନ୍‌ଏସ୍‌ ନାଦକର୍ଣ୍ଣୀଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ତାଜମହଲର ରଙ୍ଗ ଏବେ ଯେପରି ଭାବେ ବଦଳିବାରେ ଲାଗିଛି, ତାହା ବେଧହୁଏ କାହା ଆଖିକୁ ଦେଖାଯାଉନାହିଁ, କିମ୍ବା ସେଥିପ୍ରତି କେହି ଚିନ୍ତିତ ଥିବା ପରି ମନେହେଉ ନାହିଁ ବୋଲି କହି ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମ୍‌ କୋର୍ଟ। ତାଜମହଲ ପ୍ରଥମେ ଧଳାରୁ ହଳଦିଆ ହୋଇ ଏବେ ଧୂସର ରଙ୍ଗର ହେବାକୁ ବସିଥିବା ବେଳେ ଏମାମଲାରେ ସରକାର କରୁଛନ୍ତି କ’ଣ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌ କୋର୍ଟ।

ସମ୍ବନ୍ଧିତ ଖବର