ସତ କହିବା ଦେଶପ୍ରେମ…; ଦେଶଦ୍ରୋହ ଆଇନ ଉପରେ ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ ପରେ ରାହୁଲଙ୍କ ବୟାନ

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନ ଉପରେ ବୁଧବାର ରହିତାଦେଶ ଜାରି କରିଛନ୍ତି ସୁପ୍ରିମ୍‌କୋର୍ଟ। କୋର୍ଟର ଏହି ନିଷ୍ପତ୍ତି ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ସତ୍ୟ କହିବା ଦେଶପ୍ରେମ, ଦେଶଦ୍ରୋହ ନୁହେଁ। ଦେଶଦ୍ରୋହ ଆଇନ ଉପରେ ରହିତାଦେଶ ସହ ଜଡିତ ଖବର ଟ୍ବିଟ କରି ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି ଯେ, ସତ୍ୟ କହିବା ଦେଶପ୍ରେମ, ଦେଶଦ୍ରୋହ ନୁହେଁ। ସତ୍ୟ ଶୁଣିବା ମଣିଷର କର୍ତ୍ତବ୍ୟ, ସତ୍ୟକୁ ଚାପିଦେବା ହେଉଛି ଅହଙ୍କାର। ଭୟ କର ନାହିଁ।

ତେବେ ବୁଧବାର ଦେଶଦ୍ରୋହ ଆଇନ ଉପରେ ରହିତାଦେଶ ଜାରି କରିବା ସହ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଦେଶଦ୍ରୋହ ଅପରାଧର ମୁକାବିଲା କରୁଥିବା ଆଇପିସି ଧାରା ୧୨୪ଏର ପୁନଃ ପରୀକ୍ଷା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଦେଶଦ୍ରୋହ ଆଇନର ବ୍ୟବହାର ଜାରି ରଖିବା ଉଚିତ ହେବ ନାହିଁ। ଶୀର୍ଷ ଅଦାଲତ କହିଛନ୍ତି ଏଣିକି ଧାରା ୧୨୪ଏର ବ୍ୟବସ୍ଥା ଆଧାରରେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ କୌଣସି ନୂତନ ଏଫଆଇଆର ପଞ୍ଜିକରଣ କରିବେ ନାହିଁ, କୌଣସି ଅନୁସନ୍ଧାନ ଜାରି ରଖିବେ ନାହିଁ କିମ୍ବା କୌଣସି ବାଧ୍ୟତାମୂଳକ ପଦକ୍ଷେପ ଗ୍ରହଣ କରିବେ ନାହିଁ। ଯଦି ଧାରା ୧୨୪ଏ ଅନୁଯାୟୀ କୌଣସି ନୂତନ ମାମଲା ପଞ୍ଜୀକୃତ ହୁଏ, ତେବେ ପ୍ରଭାବିତ ବ୍ୟକ୍ତି ଜାମିନ ପାଇଁ ସମ୍ପୃକ୍ତ ଅଦାଲତଙ୍କ ନିକଟକୁ ଯିବାକୁ ସ୍ୱାଧୀନତା ପାଇବେ। ଆଇନର ବ୍ୟବସ୍ଥା ଅନୁଯାୟୀ ଅଭିଯୁକ୍ତମାନଙ୍କୁ ଅଦାଲତ ଦ୍ୱାରା ଦିଆଯାଇଥିବା ରିଲିଫ୍‌ (ଆଶ୍ୱସ୍ତି) ଜାରି ରହିବ। ଯେଉଁମାନେ ପୂର୍ବରୁ ଆଇପିସିର ଧାରା ୧୨୪ଏ ଅନୁଯାୟୀ ଗିରଫ ହୋଇଛନ୍ତି ଏବଂ ଜେଲରେ ଅଛନ୍ତି ସେମାନେ ଜାମିନ ପାଇଁ ଅଦାଲତଙ୍କ ନିକଟକୁ ଯାଇପାରିବେ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ (ଆଇପିସି ଧାରା ୧୨୪କ)ର ପୁନର୍ବିଚାର କରିବାକୁ ଘୋଷଣା କରିଥିଲେ । ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ସତ୍ୟପାଠରେ କୁହାଯାଇଥିଲା ଯେ, ଆଜାଦିକା ଅମୃତ ମହୋତ୍ସବର ମୂଳଭାବନା ଓ ନାଗରିକ ସ୍ବାଧୀନତା ରକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ବ ଦୃଷ୍ଟିରୁ କେନ୍ଦ୍ର ସରକାର ‘ଆଇପିସି ଧାରା ୧୨୪କ’ ର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଣୁ ସୁପ୍ରିମକୋର୍ଟ ଏହି ଆଇନର ତର୍ଜମା କରି ସମୟ ଅପଚୟ କରିବା ଉଚିତ ନୁହେଁ ଓ ହେବାକୁ ଥିବା ସମୀକ୍ଷାକୁ ଅପେକ୍ଷା କରନ୍ତୁ ବୋଲି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ତେବେ କେନ୍ଦ୍ର ସରକାର ସମୀକ୍ଷା ଶେଷ ନକରିବା ପର୍ଯ୍ୟନ୍ତ ଦେଶଦ୍ରୋହ ଆଇନ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ସମ୍ବନ୍ଧିତ ଖବର