ନୂଆଦିଲ୍ଲୀ: ବିଲ୍‌କୁ ମଞ୍ଜୁରି ଦେବାରେ ତାମିଲନାଡ଼ୁ ରାଜ୍ୟପାଳ ବିଳମ୍ବ କରୁଥିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି କଡ଼ା ପ୍ରଶ୍ନ କରିଛନ୍ତି। ରାଜ୍ୟପାଳ ୩ ବର୍ଷ ହେଲା ବିଲ୍‌ ଉପରେ କରୁଥିଲେ କ’ଣ? ମାମଲାକୁ ନେଇ ପକ୍ଷ ସପ୍ରିମକୋର୍ଟ ଆସିବା ପର୍ଯ୍ୟନ୍ତ ରାଜ୍ୟପାଳ ଅପେକ୍ଷା କରିଥିଲେ କାହିଁକି? ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି। ସରକାରଙ୍କ ଦ୍ବାରା ବିଧାନସଭାରେ ଗୃହୀତ ୧୦ଟି ବିଲ୍‌କୁ ରାଜ୍ୟପାଳ ଆର୍‌ଏନ୍‌ ରବି ଗତ ୧୩ ତାରିଖରେ ଫେରାଇ ଦେବା ପରେ ସୁପ୍ରିମକୋର୍ଟ ଆଜି ଏଭଳି ପ୍ରଶ୍ନ ପଚାରିଛନ୍ତି। ମାମଲା ସୁପ୍ରିମକୋର୍ଟକୁ ଆସିବା ପରେ ରାଜ୍ୟପାଳ କାହିଁକି ପଦକ୍ଷେପ ନେଲେ?

Advertisment

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ‌ ଖଣ୍ଡପୀଠ ତାମିଲନାଡ଼ୁ ସରକାରଙ୍କ ଦ୍ବାରା ଆଗତ ମାମଲାର ଶୁଣାଣି କରି କହିଛନ୍ତି ବିଲ୍‌ଗୁଡ଼ିକ ୨୦୨୦ ମସିହା ଜାନୁଆରି ମାସରୁ ପଡ଼ି ରହିଥିଲା। ରାଜ୍ୟ ସରକାର କହୁଛନ୍ତି ରାଜ୍ୟପାଳ ନଭେମ୍ବର ୧୩ରେ ବିଲ୍‌ ଉପରେ ପଦକ୍ଷେପ ନେଇଛନ୍ତି। କିନ୍ତୁ ଆମର ଉଦ୍‌ବେଗ ହେଲା ନଭେମ୍ବର ୧୦ ତାରିଖରେ ଆମେ ‌ରାୟ ଦେଇଥିଲୁ। ଅର୍ଥାତ୍‌ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ହିଁ ରାଜ୍ୟପାଳ ନି‌ଷ୍ପତ୍ତି ନେଲେ। ତା’ହେଲେ ରାଜ୍ୟପାଳ ୩ ବର୍ଷ ହେଲା କରୁଥିଲେ କ’ଣ? ମାମଲାକୁ ନେଇ ପକ୍ଷ ସପ୍ରିମକୋର୍ଟ ଆସିବା ପର୍ଯ୍ୟନ୍ତ ରାଜ୍ୟପାଳ ଅପେକ୍ଷା କରିଥିଲେ କାହିଁକି? ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ।

ତାମିଲନାଡ଼ୁ ନିକଟରେ ଫେରାଇ ଦେଇଥିବା ୧୦ଟି ବିଲ୍‌ ମଧ୍ୟରୁ ୨ଟି ବିଲ୍‌ ପୂର୍ବର ଏଆଇଡିଏମକେ ସରକାରଙ୍କ ଦ୍ବାରା ଗୃହୀତ ହୋଇଥିଲା। ୧୦ଟି ଯାକ ବିଲ୍‌ ରାଜ୍ୟାପାଳ ଫେରାଇ ଦେବାପରେ ତାମିଲନାଡ଼ୁ ସରକାର ଗତ ଶନିବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକି ସେସବୁକୁ ଗୃହୀତ କରାଇ ରାଜ୍ୟପାଳଙ୍କ ନିକଟକୁ ମଞ୍ଜୁରି ନିମନ୍ତେ ପୁଣି ପଠାଇଛନ୍ତି। ସୁପ୍ରିମକୋର୍ଟ କହିଥିଲେ ଏବେ କ’ଣ ହେଉଛି ଦେଖିବା। ଏହା କହି କୋର୍ଟ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧ ତାରିଖରେ କରିବାକୁ ଧାର୍ଯ୍ୟ କରିଛନ୍ତି। ବିଲ୍‌ ଦ୍ବିତୀୟ ଥର ପାଇଁ ବିଧାନସଭାରେ ଗୃହୀତ ହେଲେ ସେଗୁଡ଼ିକ ଅର୍ଥ ବିଲ୍‌ ଭାବେ ବିବେଚନା କରାଯିବ ବୋଲି କୋର୍ଟ ଟିପ୍ପଣୀ ଦେଇଥିଲେ। କେନ୍ଦ୍ରର ବିଜେପି ସରକାର ଦ୍ବାରା ନିଯୁକ୍ତ ରାଜ୍ୟପାଳ ରବି ଜାଣିଶୁଣି ବିଲ୍‌ରେ ମୋହର ମାରିବାକୁ ବିଳମ୍ବ କରୁଛନ୍ତି ବୋଲି ତାମିଲନାଡ଼ୁ ସରକାର ଅଭିଯୋଗ କରିଛି। ଏହାଦ୍ବାରା ରାଜ୍ୟର ବିକାଶ ବ୍ୟାହତ ହେଉଛି। ଏଥିସହିତ ନିର୍ବାଚିତ ସରକାରଙ୍କୁ ରାଜ୍ୟପାଳ ଗୁରୁତ୍ବ ଦେଉନାହାନ୍ତି ବୋଲି ରାଜ୍ୟ ସରକାର କହି ଆସୁଛନ୍ତି। ତେଣୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରାଜ୍ୟପାଳ ବିଲ୍‌ରେ ମୋହର ମାରନ୍ତୁ ବୋଲି ଡିଏମକେ ସରକାର ଆବେଦନ କରିଛନ୍ତି।

ଏହି ମାମଲାରେ ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି ଓ ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି ବାଢ଼ିଥିଲେ। କୌଣସି କାରଣ ନଦର୍ଶାଇ ରାଜ୍ୟପାଳ ବିଲ୍‌ ଫେରାଇ ଦେଇଥିଲେ। ଏହା ସମ୍ବିଧାନର ଉଲ୍ଲଂଘନ ବୋଲି ସିଂଘଭି କହିଥିଲେ। ତେବେ ସଲିସିଟର ଜେନେରାଲ କହିଥିଲେ ରାଜ୍ୟପାଳ କେବଳ ବୈଷୟିକ ଉପଦେଷ୍ଟା ନୁହନ୍ତି। ଏଥିସହିତ ଅଦାଲତ କହିଥିଲେ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବା ୧୮୧ଟି ବିଲ୍‌ରୁ ୧୬୨ଟିରେ ସେ ମୋହର ମାରିଛନ୍ତି। ଏଥିସହିତ ପଞ୍ଜାବ ଓ କେରଳ ସରକାର ସେମାନଙ୍କ ରାଜ୍ୟର ରାଜ୍ୟପାଳଙ୍କ ବିରୋଧରେ ସମାନ ଅଭିଯୋଗ ଆଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କେରଳ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାର ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କ ଠାରୁ ଜବାବ ତଲବ କରିଛନ୍ତି। କେରଳ ବିଧାନସଭାରେ ଗୃହୀତ ୮ଟି ବିଲ୍‌କୁ ରାଜ୍ୟପାଳ ୭ରୁ ୨୧ ମାସ ଧରି ପକାଇ ରଖିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ୨୪ ତାରିଖରେ କରିବାକୁ ଧାର୍ଯ୍ୟ ହୋଇଛି। ଗତ ସପ୍ତାହରେ ସୁପ୍ରିମକୋର୍ଟ ପଞ୍ଜାବ ମାମଲାର ଶୁଣାଣି ବେଳେ ରାଜ୍ୟପାଳ ବନୱରିଲାଲ ପୁରୋହିତ ନିଆଁ ସହିତ ଖେଳୁଛନ୍ତି ବୋଲି କହିଥିଲେ।