ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ: ଲୋକପାଳ ନିଯୁକ୍ତିରେ ବିଳମ୍ବ କାହିଁକି ହେଉଛି ? କେତେଦିନ ମଧ୍ୟରେ ଲୋକପାଳ ନିଯୁକ୍ତ ହେବେ ?

୧୦ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲୋକପାଳ ନିଯୁକ୍ତିରେ ଅହେତୁକ ବିଳମ୍ବ ହେଉଥିବାରୁ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଲୋକପାଳ ନିଯୁକ୍ତିରେ ଏଭଳି ବିଳମ୍ବ କାହିଁକି ହେଉଛି ଏବଂ କେତେଦିନ ମଧ୍ୟରେ ଲୋକପାଳ ନିଯୁକ୍ତି ହେବେ ସେ ସଂପର୍କରେ ୧୦ ଦିନ ମଧ୍ୟରେ ଜବାବ ରଖିବାକୁ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ରଂଜନ ଗୋଗଇ ଏବଂ ବିଚାରପତି ଆର୍‌. ଭାନୁମତିଙ୍କ ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି ଯେ ଲୋକପାଳ ନିଯୁକ୍ତି ନେଇ ସରକାର କି କି ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ କରିବାକୁ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ଲୋକପାଳ ନିଯୁକ୍ତି ସଂପର୍କରେ ସରକାରଙ୍କ ଦେଇଥିବା ନିର୍ଦ୍ଦେଶନାମା କୋର୍ଟରେ ଉପସ୍ଥାପନ କରିଛନ୍ତି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖ ଦିନ ହେବ ବୋଲି ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି। ୨୭ ଏପ୍ରିଲ ୨୦୧୭ରେ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଲୋକପାଳ ନିଯୁକ୍ତି କରାଯାଇ ନାହିଁ। ସୁପ୍ରିମ୍‌ କୋର୍ଟ ଗତବର୍ଷ ତାଙ୍କ ରାୟରେ କହିଥିଲେ ଯେ ଲୋକପାଳ ଆଇନ ନିଲମ୍ବିତ ରଖିବା ନ୍ୟାୟସଂଗତ ନୁହେଁ।

ସମ୍ବନ୍ଧିତ ଖବର