ନୂଆଦିଲ୍ଲୀ: ବୁଧବାର ସୁପ୍ରିମ୍କୋର୍ଟ ଦିଲ୍ଲୀର ପଡ଼ୋଶୀ ରାଜ୍ୟଗୁଡ଼ିକରେ ଫସଲ ଅବଶେଷ (ନଡ଼ାପାଳ) ଜାଳିବା ପାଇଁ କୃଷକମାନଙ୍କୁ ଦିଆଯାଇଥିବା ସମ୍ପୂର୍ଣ୍ଣ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି। ଆଇନ ଉଲ୍ଲଂଘନକାରୀ ଚାଷୀ କାହିଁକି ଗିରଫ ହେବେନାହିଁ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିବା ସହ ଏଭଳି ମାମଲାରେ ସୁରକ୍ଷା ମିଳିବା ଜରୁରୀ ନୁହେଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଆଇନ ଉଲ୍ଲଂଘନକାରୀ ଚାଷୀଙ୍କୁ ଉତ୍ତରଦାୟୀ କରିବା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଦଣ୍ଡବିଧାନ ବ୍ୟବସ୍ଥା ଉପରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
ପ୍ରଦୂଷଣକୁ ରୋକିବା ପାଇଁ ଦୀର୍ଘକାଳୀନ ରଣନୀତିର ଆବଶ୍ୟକତା ଉପରେ କୋର୍ଟ ଗୁରୁତ୍ବାରୋପ କରିଛନ୍ତି। ପ୍ରଧାନ ବିଚାରପତି ଭୂଷଣ ଆର୍ ଗୱାଇ ଓ ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଖାଲି ଥିବା ପଦବିଗୁଡ଼ିକ ଉପରେ ଶୁଣାଣି ବେଳେ ଏହି ମନ୍ତବ୍ୟ ଦେଇଛନ୍ତି। ହରିୟାଣା, ପଞ୍ଜାବ ଓ ଉତ୍ତରପ୍ରଦେଶକୁ ଏହି ପଦବି ପୂରଣ ପାଇଁ ତିନିମାସ ସମୟ ଦିଆଯାଇଥିଲା। କୋର୍ଟ ଚେତାବନୀ ଦେଇଛନ୍ତି ଯେ କମ୍ କର୍ମଚାରୀ ବାରମ୍ବାର ପରିବେଶ ଆହ୍ବାନ ବିରୋଧରେ ଲଢ଼େଇକୁ ଦୁର୍ବଳ କରିଥାଏ। ଆପଣ କାହିଁକି ଆଇନ ଅନୁଯାୟୀ ଦଣ୍ଡବିଧାନ କରିବାକୁ ବିଚାର କରୁନାହାନ୍ତି? ପରିବେଶର ସୁରକ୍ଷା ପାଇଁ କୃଷକମାନଙ୍କୁ ଆଇନର ପରିସରକୁ ଆଣିବାକୁ ପଡ଼ିବ। ସମ୍ପୂର୍ଣ୍ଣ ପ୍ରତିରକ୍ଷା ହୋଇପାରିବ ନାହିଁ ବୋଲି ସିଏକ୍ୟୁଏମ୍ ପାଇଁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱର୍ଯ୍ୟା ଭାଟିଙ୍କୁ ପ୍ରଧାନ ବିଚାରପତି ଗୱାଇ କହିଛନ୍ତି।
ପଞ୍ଜାବର ଓକିଲ ରାହୁଲ ମେହେରା କହିଛନ୍ତି ଯେ ଚାଷଜମିରେ ନିଆଁ ଲାଗିବା ଘଟଣା ହ୍ରାସ ପାଇଛି ଏବଂ କ୍ଷୁଦ୍ର ଚାଷୀଙ୍କୁ ଜେଲରେ ରଖିବା ଦ୍ୱାରା ପରିବାର ନଷ୍ଟ ହୋଇଯାଇପାରେ। ତେବେ ଖଣ୍ଡପୀଠ ଏହି ଯୁକ୍ତିରେ ଅସନ୍ତୋଷ ପ୍ରକାଶ କରିଥିଲେ। କୋର୍ଟ କହିଛନ୍ତି, ଲୋକଙ୍କୁ ହାଜତରେ ରଖିବା ସଠିକ୍ ବାର୍ତ୍ତା ପଠାଇବ। ଯଦି କର୍ତ୍ତୃପକ୍ଷ ଏଥିରେ ବିଫଳ ହୁଅନ୍ତି ତେବେ ବାଧ୍ୟତାମୂଳକ ନିର୍ଦ୍ଦେଶନାମା ଜାରି ହୋପାରେ। ଅକ୍ଟୋବର ୮ରେ ଏହି ମାମଲାର ପୁନର୍ବାର ଶୁଣାଣି ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/18/untitled-17-2025-09-18-07-11-47.jpg)