ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଦିଲ୍ଲୀ ବାସଭବନରୁ ମିଳିଥିବା ଦରପୋଡ଼ା ନଗଦ ଟଙ୍କାକୁ ନେଇ ସୁପ୍ରିମ୍‌କୋର୍ଟ ସୋମବାର ତାଙ୍କୁ ପଚାରିଥିଲେ ଯେ ସେ କମିଟିରେ ହାଜର ହୋଇ ତଦନ୍ତ ପ୍ରକ୍ରିୟାରେ ନିଜକୁ ସାମିଲ କରିବା ପରେ ତାଙ୍କ ବିରୋଧରେ ଆଭ୍ୟନ୍ତରୀଣ ତଦନ୍ତର ବୈଧତାକୁ କାହିଁକି ଚ୍ୟାଲେଞ୍ଜ କଲେ? ତଦନ୍ତ ଶେଷ ହେବା ଯାଏ ସେ କାହିଁକି ଅପେକ୍ଷା କରିଥିଲେ? ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସରକାରୀ ବାସଭବନରୁ ଦରପୋଡ଼ା ନଗଦ ଟଙ୍କା ଜବତ ଘଟଣାରେ ଜଷ୍ଟିସ୍ ବର୍ମାଙ୍କ ଦୋଷ ଥିବା ଆଭ୍ୟନ୍ତରୀଣ ତଦନ୍ତରୁ ପ୍ରମାଣିତ ହୋଇଥିଲା। ଦୁଇଜଣିଆ ଖଣ୍ଡପୀଠର ଅଧ୍ୟକ୍ଷତା କରି ଜଷ୍ଟିସ ଦୀପଙ୍କର ଦତ୍ତ ଜଷ୍ଟିସ ବର୍ମାଙ୍କ ଓକିଲ ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କୁ ପଚାରିଥିଲେ ଯେ ସେ କାହିଁକି ତଦନ୍ତ ପୂର୍ବରୁ କମିଟି ଗଠନକୁ ଚ୍ୟାଲେଞ୍ଜ କଲେ ନାହିଁ?

Advertisment

ସିବଲ କହିଛନ୍ତି ଯେ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଳିବାର ଭିଡିଓ ଜାରି ହେବା ପରେ ବିଚାରପତିଙ୍କୁ ଜନସାଧାରଣ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭିଡିଓ ହଟାଇବାକୁ ଅନୁରୋଧ କରିବାକୁ ଆପଣ ଅଦାଲତକୁ ଆସିଥିଲେ କି? ଆପଣ କାହିଁକି ତଦନ୍ତ ଶେଷ ହେବା ଓ ରିପୋର୍ଟ ପ୍ରକାଶ ପାଇବାକୁ ଅପେକ୍ଷା କଲେ? ଅତୀତରେ ବିଚାରପତିମାନେ ଏଭଳି କାର୍ଯ୍ୟରେ ଯୋଗ ଦେବାରୁ ଦୂରେଇ ରହିଥିଲେ। ଆପଣ ପୂର୍ବରୁ ମଧ୍ୟ ଆମ ସହ ଯୋଗାଯୋଗ କରିପାରିଥାନ୍ତେ ବୋଲି ଜଷ୍ଟିସ୍ ଦତ୍ତ କହିଛନ୍ତି। ଜଷ୍ଟିସ ଏଜି ମସିହ ଅନ୍ୟତମ ବିଚାରପତି ଥିବା ଖଣ୍ଡପୀଠକୁ ସିବଲ କହିଥିଲେ, ଯେହେତୁ ସବୁକିଛି ସର୍ବସାଧାରଣରେ ଥିଲା, ତେଣୁ ମୁଁ ଭାବିଥିଲି କମିଟି ଏହା (ଟଙ୍କା) କାହାର ତାହା ଜାଣିବ। ପ୍ରାରମ୍ଭରେ ଜଷ୍ଟିସ କହିଥିଲେ, ଏହି ପିଟିସନ୍ ଦାଖଲ ହେବା ଉଚିତ ନୁହେଁ। ପିଟିସନରେ ୩ ଜଣ ବାଦୀ ଅଛନ୍ତି, ଆପଣଙ୍କର ମୁଖ୍ୟ ପ୍ରସଙ୍ଗ ସୁପ୍ରିମ୍‌କୋର୍ଟଙ୍କ ପାଖରେ ରହିଛି। ଏହାପରେ ସେ ଆବଶ୍ୟକ ପରିବର୍ତ୍ତନ କରିବେ ବୋଲି ସିବଲ କହିଥିଲେ।

ବର୍ମାଙ୍କ ଆବେଦନରେ ସୁପ୍ରିମ୍‌କୋର୍ଟଙ୍କ ଆଭ୍ୟନ୍ତରୀଣ ତଦନ୍ତକୁ ଏକ ସମାନ୍ତରାଳ, ଅସାମ୍ବିଧାନିକ ବ୍ୟବସ୍ଥା ବୋଲି ଦର୍ଶାଯାଇଛି। ସିବଲ କହିଛନ୍ତି, ଧାରା ୧୨୪ ଅଧୀନରେ ଏକ ପ୍ରକ୍ରିୟା ରହିଛି। ଏହା ପୂର୍ବରୁ ଜଣେ ବିଚାରପତି ସର୍ବସାଧାରଣରେ ବିତର୍କର ବିଷୟ ହୋଇପାରିବେ ନାହିଁ। ଏପର୍ଯ୍ୟନ୍ତ ଯାହା ଘଟିଛି ତାହା ଅସାମ୍ବିଧାନିକ। ଟେପ୍ ଜାରି କରିବା, ଏହାକୁ ୱେବ୍‌ସାଇଟ୍‌ରେ ରଖିବା, ଜନ ଅସନ୍ତୋଷ, ସାର୍ବଜନୀନ ଆଲୋଚନା, ଗଣମାଧ୍ୟମ ସହ କଥାବାର୍ତ୍ତା, ବିଚାରପତିଙ୍କ ବିରୋଧରେ ଅଭିଯୋଗ, ବିଚାରପତିଙ୍କ ଆଚରଣ ବିଷୟରେ ସର୍ବସାଧାରଣରେ ଆଲୋଚନା- ଏ ସବୁ ସମ୍ବିଧାନରେ ନିଷିଦ୍ଧ। ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଜଷ୍ଟିସ ବର୍ମାଙ୍କୁ ହଟାଇବା ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ କିପରି ସୁପାରିସ କରିପାରିଲେ ବୋଲି ସିବଲ ପ୍ରଶ୍ନ କରିଛନ୍ତି। ଏହି ରିପୋର୍ଟକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବା ଭୁଲ୍ ବୋଲି ସିବଲଙ୍କ ଯୁକ୍ତି ଶୁଣି ଜଷ୍ଟିସ ଦତ୍ତ କହିଥିଲେ, ରାଷ୍ଟ୍ରପତିଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରିବାକୁ ପଡ଼ିବ କାରଣ ସେ ବିଚାରପତିମାନଙ୍କୁ ନିଯୁକ୍ତି ଦେଇଥାନ୍ତି। ଯେହେତୁ ରାଷ୍ଟ୍ରପତି ମନ୍ତ୍ରିମଣ୍ଡଳର ସହାୟତା ଓ ପରାମର୍ଶ କ୍ରମେ କାର୍ଯ୍ୟ କରୁଛନ୍ତି, ତେଣୁ ଏହାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବାରେ ମଧ୍ୟ କିଛି ଆପତ୍ତି ନାହିଁ। ସିବଲ ଯୁକ୍ତି ବାଢ଼ିଥିଲେ ଯେ ଏହି ଟଙ୍କା କାହାର ତାହା କମିଟି ଜାଣିନାହିଁ। ଯଦି ସେ ରିପୋର୍ଟର ବିଷୟବସ୍ତୁ ଉପରେ ଯୁକ୍ତି କରିବାକୁ ଚାହୁଛନ୍ତି ତେବେ ତାଙ୍କୁ ରିପୋର୍ଟ ଦେଖିବାକୁ ପଡ଼ିବ ଏବଂ ଏହି ରିପୋର୍ଟକୁ ପିଟିସନ ସହିତ ଯୋଡ଼ିବା ଜରୁରୀ ବୋଲି କୋର୍ଟ କହିଛନ୍ତି। ସିବଲ ଏଥିପାଇଁ ରାଜି ହୋଇଥିଲେ। ବୁଧବାର କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ।