ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସିଇସି କାର୍ଯ୍ୟାନୁଷ୍ଠାନ କରିପାରିବେ ତ?

ଅରୁଣ ଗୋଏଲଙ୍କ ନିଯୁକ୍ତି ସଂକ୍ରାନ୍ତ ଫାଇଲ୍‌ ମାଗିଲେ, ସରକାର ନିଜ ପସନ୍ଦରେ ଅଧିକାରୀ ବାଛିଲେ ସ୍ବାଧୀନତା ରହିବ ନାହିଁ

ନୂଆଦିଲ୍ଲୀ: ନିର୍ବାଚନ କମିସନର ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମ କୋର୍ଟ ଆଜି କେତେକ ପ୍ରଶ୍ନ ଉଠାଇବା ସହିତ ନବନିଯୁକ୍ତ କମିସନର ଅରୁଣ ଗୋଏଲଙ୍କ ନିଯୁକ୍ତି ସଂକ୍ରାନ୍ତ ଫାଇଲ ଉପସ୍ଥାପନ କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣୀଙ୍କ ବିରୋଧକୁ ଅଗ୍ରାହ୍ୟ କରି କୋର୍ଟ କହିଛନ୍ତି ଯେ ସଚିବ ଭାବେ କାର୍ଯ୍ୟରତ ଜଣେ ଆଇଏଏସ୍ ଅଧିକାରୀଙ୍କୁ ଭିଆରଏସ୍ ଦିଆଯିବାର ତିନି ଦିନ ମଧ୍ୟରେ ନିର୍ବାଚନ କମିସନର ଭାବେ ନିଯୁକ୍ତି ମିଳିଛି। ଏହି ନିଯୁକ୍ତିରେ କିଭଳି ପ୍ରକ୍ରିୟା ଅବଲମ୍ବନ କରାଯାଇଛି ତାହା ଆମେ ଜାଣିବାକୁ ଚାହୁଛୁ। ଏସଂକ୍ରାନ୍ତ ମାମଲାର ଶୁଣାଣି ଚାଲିଥିବା ବେଳେ ଏଭଳି ନିଯୁକ୍ତି ହୋଇନଥିଲେ ଭଲ ହୋଇଥାନ୍ତା।

ଅରୁଣ ଗୋଏଲଙ୍କ ନିଯୁକ୍ତି ସଂକ୍ରାନ୍ତ ଫାଇଲ୍‌ ମାଗିଲେ
ସରକାର ନିଜ ପସନ୍ଦରେ ଅଧିକାରୀ ବାଛିଲେ ସ୍ବାଧୀନତା ରହିବ ନାହିଁ
ଚୟନ ପ୍ରକ୍ରିୟାରେ ପ୍ରଧାନ ବିଚାରପତିଙ୍କୁ ସାମିଲ କର

ନିର୍ବାଚନ କମିସନର ନିଯୁକ୍ତି ବ୍ୟବସ୍ଥାରେ ସଂସ୍କାର ଦାବିରେ ଆଗତ ହୋଇଥିବା ଅନେକ ପିଟିସନ ଉପରେ ବିଚାର କରୁଛନ୍ତି ଜଷ୍ଟିସ କେ.ଏମ୍. ଯୋଶେଫଙ୍କ ନେତୃତ୍ବାଧୀନ ୫ ଜଣିଆ ସମ୍ବିଧାନ ବେଞ୍ଚ। ମାମଲାର ଆଜି ଶୁଣାଣି ଚାଲିଥିବା ବେଳେ ଆବେଦନକାରୀ ଓକିଲ ପ୍ରଶାନ୍ତ ଭୂଷଣ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ କେନ୍ଦ୍ର ସରକାର ତରବରିଆ ଭାବେ ଜଣେ ସରକାରୀ ଅଧିକାରୀଙ୍କୁ ଭିଆର୍‌ଏସ୍‌ ଦେଇ ନିର୍ବାଚନ କମିସନର ନିଯୁକ୍ତି ଦେଇଛନ୍ତି। ଆମେ ନିର୍ବାଚନ କମିସନର ନିଯୁକ୍ତି ବ୍ୟବସ୍ଥାକୁ ଚ୍ୟାଲେଂଜ କରି ଆବେଦନ ଦାଖଲ କରିବା ପରେ ଏଭଳି ନିଯୁକ୍ତି ହୋଇଛି। ୨୦୨୫ରେ ସେ ମୁଖ୍ୟ ନିର୍ବାଚନ କମିସନର ବି ହୋଇପାରନ୍ତି। ବେଞ୍ଚ କହିଲେ ଯେ ଯଦି ସରକାର ନିଯୁକ୍ତିରେ ଉଚିତ ପ୍ରକ୍ରିୟା ଅବଲମ୍ବନ କରିଛନ୍ତି, ତାହେଲେ ଏଥିନେଇ ଆଦୌ ବ୍ୟତିବ୍ୟସ୍ତ ହେବା ଉଚିତ ନୁହେଁ। ତେବେ ବେଞ୍ଚ କହିଛନ୍ତି ଯେ ଦେଶକୁ ଏଭଳି ମୁଖ୍ୟ ନିର୍ବାଚନ କମିସନର (ସିଇସି)ର ଆବଶ୍ୟକ ଅଛି ଯିଏ କି ଅଭିଯୋଗ ହେଲେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଯଦି ସିଇସି ଦୁର୍ବଳ ରହିବେ ଏବଂ ସମ୍ବିଧାନ ପ୍ରଦତ୍ତ ପଦ୍ଧତିରେ କାମ କରିବେ ନାହିଁ, ତା’ହେଲେ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ। ସବୁ ସରକାର ଯଦି ନିଜ ପସନ୍ଦର ଅଧିକାରୀଙ୍କୁ ନିଯୁକ୍ତି ଦେବେ ତା’ହେଲେ ନିର୍ବାଚନ କମିସନଙ୍କ ପାଖରେ ସ୍ବାଧୀନତା କିଭଳି ରହିବ ବୋଲି ସମ୍ବିଧାନ ପୀଠ ପ୍ରଶ୍ନ କରିଛନ୍ତି।

ମୁଖ୍ୟ ନିର୍ବାଚନ କମିସନରଙ୍କୁ ରାଜନୈତିକ ପ୍ରଭାବରୁ ଅଲଗା ରଖାଯିବା ଏବଂ ସେ ପୂର୍ଣ୍ଣ ସ୍ବାଧୀନତାର ସହ କାମ କରିବା ଜରୁରୀ ବୋଲି ସମ୍ବିଧାନ ପୀଠ ମତ ରଖିଛନ୍ତି। ସିଇସି ଓ ଇସି ନିଯୁକ୍ତି ପାଇଁ କଲେଜିୟମ ଭଳି ବ୍ୟବସ୍ଥା ଦାବି କରି ସୁପ୍ରିମ୍‌କୋର୍ଟରେ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍‌ ଯୋଶେଫ, ଜଷ୍ଟିସ ଅଜୟ ରସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଷିକେଶ ରାୟ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କୁ ନେଇ ଗଠିତ ସମ୍ବିଧାନ ପୀଠ କହିଛନ୍ତି ଯେ ଦେଶରେ ଅନେକ ବ୍ୟକ୍ତି ସିଇସି ହୋଇଛନ୍ତି କିନ୍ତୁ ଟିଏନ୍‌ ଶେଷାନଙ୍କ ଭଳି ସିଇସି ଖୁବ୍‌ କମ୍‌ ଦେଖିବାକୁ ମିଳନ୍ତି। ଦୁଇ ଜଣ ଇସି ଏବଂ ଜଣେ ସିଇସିଙ୍କ କାନ୍ଧରେ ଦେଶର ଗୁରୁଦାୟିତ୍ବ ନ୍ୟସ୍ତ ଥିବାରୁ ନିଯୁକ୍ତି ପ୍ରକ୍ରିୟା ଅତ୍ୟନ୍ତ ପାରଦର୍ଶୀ ହେବା ଆବଶ୍ୟକ। ସରକାର ନିଜ ପସନ୍ଦରେ ଅଧିକାରୀଙ୍କୁ ବାଛି ନିର୍ବାଚନ କମିସନର ନିଯୁକ୍ତି ଦେଲେ ସଂପୃକ୍ତ ବ୍ୟକ୍ତି ପୂର୍ଣ୍ଣ ସ୍ବାଧୀନତାର ସହ କାମ କରିପାରିବେ ବୋଲି କିଛି ଗ୍ୟାରେଣ୍ଟି ରହିବ ନାହିଁ। ଏଭଳି ସ୍ଥିତିରେ କଲେଜିୟମ ବ୍ୟବସ୍ଥା ଭଳି ଉଚିତ ନିଯୁକ୍ତି ପ୍ରକ୍ରିୟା ଅବଲମ୍ବନ ହେବା ଆବଶ୍ୟକ ଏବଂ ଏଥିରେ ପ୍ରଧାନ ବିଚାରପତି ସାମିଲ ହେଲେ ଚୟନ ପ୍ରକ୍ରିୟା ଆହୁରି ପାରଦର୍ଶୀ ହୋଇପାରିବ। ସମ୍ବିଧାନର ଧାରା ୩୨୪ (୨)ରେ ସିଇସି ଏବଂ ଇସି ନିଯୁକ୍ତି ପାଇଁ ଆଇନ ବ୍ୟବ୍ୟସ୍ଥା କରାଯିବା ଉପରେ ପୀଠ ଗୁରୁତ୍ବାରୋପ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ‌ ଭେଙ୍କଟରମଣି କହିଛନ୍ତି ଯେ କେବଳ କାଳ୍ପନିକ ସ୍ଥିତି ଆଧାରରେ କେନ୍ଦ୍ର କ୍ୟାବିନେଟ୍‌ ଉପରେ ଅବିଶ୍ବାସ କରାଯିବା ଉଚିତ ନୁହେଁ। ସରକାର କେବଳ ଯୋଗ୍ୟ ଲୋକଙ୍କୁ ହିଁ ନିଯୁକ୍ତି ଦେଉଛନ୍ତି ଏବଂ ଏଥିରେ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ କଲା ଭଳି କୌଣସି ବିଷୟ ନାହିଁ।

ସମ୍ବନ୍ଧିତ ଖବର