ନୂଆଦିଲ୍ଲୀ: ସମ୍ବିଧାନର ଧାରା ୨୦୦ ଅନୁଯାୟୀ, ରାଜ୍ୟପାଳମାନେ ଅର୍ଥ ବିଲ୍‌କୁ ମଧ୍ୟ ଅଟକାଇ ପାରିବେ  କି ବୋଲି ଆଜି ସୁପ୍ରିମ୍‌କୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ବିଲ୍‌ଗୁଡ଼ିକୁ ଅନୁମୋଦନ ପ୍ରସଙ୍ଗରେ ପ୍ରେସିଡେନ୍ସିଆଲ୍ ରେଫରେନ୍ସର ଶୁଣାଣି ବେଳେ ଜଷ୍ଟିସ୍ ପିଏସ୍ ନରସିଂହ କହିଛନ୍ତି, ଏହି କ୍ଷମତା ବଳରେ ଅର୍ଥ ବିଲ୍‌କୁ ମଧ୍ୟ ରୋକାଯାଇପାରିବା ଭଳି ସ୍ଥିତି ଉତ୍ପନ୍ନ ହେଉଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ବିକ୍ରମନାଥ, ଜଷ୍ଟିସ୍ ପିଏସ୍ ନରସିଂହ ଓ ଜଷ୍ଟିସ୍ ଏଏସ୍ ଚାନ୍ଦୁରକରଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। କେନ୍ଦ୍ର ସରକାର ଯୁକ୍ତି ବାଢ଼ିଛନ୍ତି ଯେ ଧାରା ୨୦୦ ଅନୁଯାୟୀ ଅନୁମୋଦନ ଅଟକାଇବା ଏକ ସ୍ୱାଧୀନ କ୍ଷମତା। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏହି ବୟାନକୁ ସମର୍ଥନ କରିଥିଲେ। ଅନୁମୋଦନ ପ୍ରଦାନ, ବିଧାନସଭାକୁ ଫେରାଇବା ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ସଂରକ୍ଷଣ କରିବା ବ୍ୟତୀତ ରାଜ୍ୟପାଳଙ୍କ ନିକଟରେ ଏହା ଏକ ଚତୁର୍ଥ ବିକଳ୍ପ ଉପଲବ୍ଧ। ଏପରି ନିଷ୍ପତ୍ତି ନ୍ୟାୟିକ ସମୀକ୍ଷା ପାଇଁ ଖୋଲା 

Advertisment

ରାଜ୍ୟପାଳଙ୍କ ସୁପାରିସରେ ହିଁ ଅର୍ଥ ବିଲ୍‌ କାର୍ଯ୍ୟକାରୀ ହେଉଛି: କେନ୍ଦ୍ର
ଅନୁମୋଦନ ସହ ମେଳ ନ ଖାଇଲେ ଅଟକାଇ ପାରିବେ

ନୁହେଁ ବୋଲି ସେ କହିଛନ୍ତି। ଯେତେବେଳେ ପ୍ରଧାନ ବିଚାରପତି ପଚାରିଥିଲେ, ଅଦାଲତ ରାଜ୍ୟପାଳଙ୍କୁ ପଚାରିପାରିବେ କି ସେ କାହିଁକି ଅଟକାଉଛନ୍ତି? ସାଲଭେଙ୍କ ଉତ୍ତର ସ୍ପଷ୍ଟ ଥିଲା, ନା। ଜଷ୍ଟିସ୍‌ ନରସିଂହ କହିଲେ ଯେ, ଧାରା ୨୦୦ର ବ୍ୟବସ୍ଥା ରାଜ୍ୟପାଳଙ୍କୁ ପୁନର୍ବିଚାର ପାଇଁ ବିଧାନସଭାକୁ ବିଲ୍ ଫେରାଇବା ଲାଗି ଅନୁମତି ଦେଉଥିବା ବେଳେ ଏଥିରେ ଅର୍ଥ ବିଲ୍‌କୁ ବିଶେଷ ଭାବେ ବାଦ୍ ଦିଆଯାଇଛି। ସେ ସିଧାସଳଖ ଅର୍ଥ ବିଲ୍ ଅଟକାଇପାରିବେ। ଉତ୍ତରରେ ସାଲଭେ କହିଥିଲେ- ହଁ, ସେ ପାରିବେ। ଜଷ୍ଟିସ୍‌ ନରସିଂହ ଆହୁରି ପ୍ରଶ୍ନ କରିଥିଲେ ଯେ, ଏକ ଅର୍ଥ ବିଲ୍‌କୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କଲେ ସମସ୍ୟାର କିପରି ସମାଧାନ ହେବ? ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ଧାରା ୨୦୭ରେ ଏହାର ଉତ୍ତର ଅଛି। କାରଣ ରାଜ୍ୟପାଳଙ୍କ ସୁପାରିସକ୍ରମେ ହିଁ ଅର୍ଥ ବିଲ୍ ଆଗତ ହୋଇଥାଏ। ରାଜ୍ୟପାଳଙ୍କ ସୁପାରିସରେ ଅର୍ଥ ବିଲ୍ କାର୍ଯ୍ୟକାରୀ ହେଉଥିବାରୁ ସେ ଏହାକୁ ଅଟକାଇବାର ପ୍ରଶ୍ନ ଉଠୁନାହିଁ। ତେବେ ରାଜ୍ୟପାଳ ସୁପାରିସ କରିଥିବା ବିଲ୍‌ର ଏକ ଭିନ୍ନ ସଂସ୍କରଣ ବିଧାନସଭା ପାରିତ କରି ପାରିବ ବୋଲି ସାଲଭେ କହିଛନ୍ତି। କିନ୍ତୁ ଏହା ରାଜ୍ୟପାଳଙ୍କ ଅନୁମୋଦନ ସହ ମେଳ ନ ଖାଇଲେ ରାଜ୍ୟପାଳ ଅନୁମୋଦନକୁ ଅଟକାଇ ପାରିବେ ବୋଲି ସେ ଯୁକ୍ତି ବାଢ଼ିଥିଲେ।
ରାଜ୍ୟପାଳଙ୍କ ଉପରେ ନ୍ୟାୟିକ ଭାବେ ଲାଗୁ କରାଯାଇଥିବା ସମୟସୀମାକୁ ମଧ୍ୟ ସାଲଭେ ବିରୋଧ କରିଥିଲେ। ଧାରା ୨୦୦ରେ ରାଜ୍ୟପାଳଙ୍କ ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇନାହିଁ। କେନ୍ଦ୍ର ସହିତ ରାଜ୍ୟପାଳଙ୍କ ସାମ୍ବିଧାନିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି ସାଲଭେ କହିଥିଲେ, ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି। ସେ ହେଉଛନ୍ତି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯୋଗାଯୋଗର ମାଧ୍ୟମ। ଯେତେବେଳେ କେନ୍ଦ୍ର ଏହି ବିଲ୍‌କୁ ଗ୍ରହଣ କରେ ନାହିଁ ଏବଂ ରାଜ୍ୟପାଳ ଅଟକାଇ ଦିଅନ୍ତି, ସେତେବେଳେ ବିଶ୍ୱାସ କରିବା କଷ୍ଟକର ଯେ କେନ୍ଦ୍ରର କୌଣସି ଭୂମିକା ନାହିଁ। ମଧ୍ୟପ୍ରଦେଶ ଓ ରାଜସ୍ଥାନ ପକ୍ଷରୁ ବରିଷ୍ଠ ଆଇନଜୀବୀ ନୀରଜକିଶନ କୌଲ ଓ ମନିନ୍ଦର ସିଂହ ମଧ୍ୟ କେନ୍ଦ୍ରର ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି।