ଗୌତମ ନବଲଖାଙ୍କ ଗୃହବନ୍ଦୀ ପାଇଁ ସ୍ବୀକୃତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଏଲଗାର ପରିଷଦ ଓ ମାଓବାଦୀଙ୍କ ସହ ସମ୍ପୃକ୍ତି ମାମଲାରେ ଜେଲ୍‌ରେ ଥିବା ଗୌତମ ନବଲଖାଙ୍କ ଗୃହବନ୍ଦୀ ପାଇଁ ସୁପ୍ରିମକୋର୍ଟ ସ୍ବୀକୃତି ପ୍ରଦାନ କରିଛନ୍ତି। ଗୌତମ ନବଲଖାଙ୍କ ସ୍ବାସ୍ଥ୍ୟାବସ୍ଥା ଏବଂ ବୟସକୁ ନଜରରେ ରଖି ଜଷ୍ଟିସ କେଏମ ଯୋଶେଫ ଏବଂ ହୃଷିକେଶ ରାୟଙ୍କ ଖଣ୍ଡପୀଠ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଗୃହବନ୍ଦୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାପାଇଁ କହିଛନ୍ତି।

କିନ୍ତୁ କୋର୍ଟ ନବଲଖାଙ୍କ ପାଇଁ ବିଭିନ୍ନ କଟକଣା ରଖିଛନ୍ତି। ୭୦ ବର୍ଷୀୟ ନବଲଖା ଇଣ୍ଟରନେଟ, ଗେଜେଟ୍‌ ଏବଂ ‌ମୋବାଇଲ ଫୋନ୍‌ ବ୍ୟବହାର କରିପାରିବେନି। କେବଳ ପୁଲିସ ଦ୍ବାରା ପ୍ରଦତ୍ତ ମୋବାଇଲ ଫୋନ୍‌ ସେ ୧୦ ମିନିଟ୍‌ ପାଇଁ ବ୍ୟବହାର କରିବେ ଏବଂ ତାହା ବି ପୁଲିସର ଉପସ୍ଥିତିରେ। କେବଳ ନବଲଖାଙ୍କ ଭଉଣୀ ଏବଂ ଝିଅ ତାଙ୍କୁ ସପ୍ତାହରେ ଥରେ ୩ ଘଣ୍ଟା ପାଇଁ ଭେଟିପାରିବେ। କୋର୍ଟ କହିଛନ୍ତି, ନବଲଖା କେବଳ ଟିଭି ଦେଖିପାରିବେ। ଇଣ୍ଟରନେଟ୍‌ ସୁବିଧା ରହିପାରିବନି। ଏହାବାଦ ନବଲଖାଙ୍କ ଘରର ପ୍ରବେଶ ଏବଂ ପ୍ରସ୍ଥାନ ଗେଟ୍‌ରେ ଏବଂ ତାଙ୍କ ଫ୍ଲାଟ୍‌ର ସବୁ ରୁମ୍‌ ବାହାରେ ସିସିଟିଭି କ୍ୟାମେରା ଲଗାଇବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା‌) ଦାବି ଅନୁଯାୟୀ ନବଲଖାଙ୍କୁ ୨.୪ ଲକ୍ଷ ଦେବାକୁ ପଡ଼ିବ। ନବଲଖା ଏବେ ମହାରାଷ୍ଟ୍ରର ତଲୋଜା ଜେଲ୍‌ର ନ୍ୟାୟିକ ହାଜତରେ ରହିଛନ୍ତି।

ସମ୍ବନ୍ଧିତ ଖବର