ନାଗରିକତା ସଂଶୋଧନ ଆଇନ ଉପରେ ରହିତାଦେଶ ପାଇଁ ମନାକଲେ ସୁପ୍ରିମ୍‌ କୋର୍ଟ, କେନ୍ଦ୍ର ସରକାରଙ୍କୁ ଜାରି କଲେ ନୋଟିସ୍

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ ଉପରେ ରହିତାଦେଶ ଲାଗୁ କରିବାକୁ ସୁପ୍ରିମ୍‌ କୋର୍ଟ ବୁଧବାର ଦିନ ମନା କରିଦେଇଛନ୍ତି। ବିବାଦୀୟ ହୋଇ ପଡ଼ିଥିବା ଏହି ଆଇନକୁ ଚାଲେଞ୍ଜ୍‌ କରି ଦାଏର କରାଯାଇଥିବା ୫୯ଟି ପିଟିସନ୍‌ର ଆଜି ସୁପ୍ରିମ୍‌ କୋର୍ଟ ପ୍ରଥମ ଶୁଣାଣି କରି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କୁ ଏ ନେଇ ନୋଟିସ୍ ଜାରି କରିଛନ୍ତି।

ସଂଶୋଧିତ ଆଇନ ସମ୍ବିଧାନକୁ ଉଲ୍ଲଂଘନ କରୁଛି ବୋଲି ହୋଇଥିବା ଅଭିଯୋଗର ଜବାବ ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଜାନୁଆରି ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହାର ଜବାବ ଦଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ସମୟ ଦେଇଛନ୍ତି।

ରହିତାଦେଶ ନିମନ୍ତେ ହୋଇଥିବା ନିବେଦନ ମଧ୍ୟ ଦାଏର କରାଯାଇଥିବା ପିଟିସନ୍‌ଗୁଡ଼ିକ ଭଳି ଦୀର୍ଘ ବୋଲି ଆଟର୍ଣ୍ଣି ଜେନେରାଲ୍‌ କେ. କେ. ବେଣୁଗୋପାଳ କହିବାରୁ ସୁପ୍ରିମ୍‌ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜାନୁଆରି ୨୨ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।

Image Source: Zee News

ପିଟିସନ୍‌ଗୁଡ଼ିକର ଶୁଣାଣି ବେଳେ ସୁପ୍ରିମ୍‌ କୋର୍ଟ ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟଙ୍କ ସହ ଏକମତ ହୋଇ କହିଛନ୍ତି ଯେ ନୂତନ ଆଇନ ବ୍ୟବସ୍ଥାରେ ଥିବା ଅନେକ ଅସ୍ପଷ୍ଟତା ହିଁ ପ୍ରତିବାଦର କାରଣ। ନାଗରିକତା ସଂଶୋଧନ ଆଇନରେ ଥିବା ବ୍ୟବସ୍ଥାଗୁଡ଼ିକୁ ଅଡିଓ ଭିଜୁଆଲ୍‌ ବ୍ୟବସ୍ଥା ମାଧ୍ୟମରେ ବ୍ୟାପକ ଭାବେ ପ୍ରସାରଣ କରି ହେବ କି ବୋଲି ସୁପ୍ରିମ୍‌ କୋର୍ଟ ପ୍ରଶ୍ନ କରିଥିଲେ। ସରକାର ଏହା କରିବେ ବୋଲି ଉତ୍ତର ରଖିଥିଲେ ଆଟର୍ଣ୍ଣି ଜେନେରାଲ୍‌ ।

ଧାର୍ମିକ ନିର୍ଯାତନାରେ ସରବ୍ୟ ହୋଇ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ପଳାୟନ କରି ଡିସେମ୍ବର ୩୧, ୨୦୧୪ ମସିହା  କିଂବା ପୂର୍ବରୁ ଭାରତକୁ ପ୍ରବେଶ କରିଥିବା ହିନ୍ଦୁ, ଖ୍ରୀଷ୍ଟିଆନ୍‌, ଶିଖ୍‌, ବୌଦ୍ଧ ଏବଂ ପାର୍ସୀ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ନାଗରିକତା ସଂଶୋଧନ ଆଇନ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବ।

ଭାରତରେ ପ୍ରଥମ ଥର ପାଇଁ କରାଯାଇଥିବା ଏ ଭଳି ବିବାଦୀୟ ଆଇନ ଯୋଗୁଁ ବିଭିନ୍ନ ରାଜ୍ୟରେ ବ୍ୟାପକ ପ୍ରତିବାଦ ଆରମ୍ଭ ହୋଇଛି। ଉତ୍ତରପୂର୍ବରେ ପ୍ରଥମେ ପ୍ରତିବାଦ ଆରମ୍ଭ ହୋଇ କ୍ରମେ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ରବିବାର ଦିନ ଏହି ପ୍ରତିବାଦ ଉଗ୍ରରୂପ ଧାରଣ କରିଥିଲା। ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କୁ ଦମନ କରିବାକୁ ପୁଲିସ ବଳ ପ୍ରୟୋଗ କରିଥିଲା।

ସମ୍ବନ୍ଧିତ ଖବର