ନୂଆଦିଲ୍ଲୀ : ବିବାଦୀୟ ନାଗରିକତା ସଂଶୋଧନ ଆଇନର କାର୍ଯ୍ୟକାରିତା ଉପରେ ଏବେ ରୋକ୍ ଲଗାଇବାକୁ ସୁପ୍ରିମ କୋର୍ଟ ମନା କରିଦେଇଛନ୍ତି। ତେବେ ଏହି ଆଇନକୁ ଚାଲେଞ୍ଜ କରି ଦାଖଲ ହୋଇଥିବା ୫୯ଟି ପିଟିସନ ଉପରେ ଜବାବ ଦେବାଲାଗି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତୀ ଶୁଣାଣି ଜାନୁଆରୀ ୨୨ ତାରିଖରେ କରିବାକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଏହି ଆଇନ ବୈଧ କିି ନୁହେଁ ଏବଂ ଏହା ଉପରେ ରୋକ୍ ଲଗାଯିବ କି ନାହିଁ ତାହା ଉପରେ ଉକ୍ତ ଦିନ ଶୁଣାଣି କରାଯିବ।
ଆଜି ମାମଲାର ଶୁଣାଣି ବେଳେ କେତେକ ଓକିଲ ଏହି ଆଇନକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପ୍ରଧାନ ବିଚାରପତି ଏସ୍.ଏ. ବୋବ୍ଡେ କହିଥିଲେ ଯେ ଏହି ଆଇନ୍ର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ସରକାର ଦେଶବାସୀଙ୍କୁ ଜଣାନ୍ତୁ। ଅଦାଲତଙ୍କ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାର ପାଳନ କରିବେ ବୋଲି ଆଟର୍ଣ୍ଣି ଜେନେରାଲ୍ କହିଛନ୍ତି।
ଶୁଣାଣି ବେଳେ ବରିଷ୍ଠ ଓକିଲ କପିଳ ଶିବଲ ଯୁକ୍ତି କରିଥିଲେ ଯେ ନିୟମ ନେଇ ବିଜ୍ଞପ୍ତି ପ୍ରକାଶ ପାଇ ନଥିବାରୁ ଏହି ଆଇନକୁ କାର୍ଯ୍ୟକରାଯିବା ଉଚିତ ନୁହେଁ। ତେବେ ତାଙ୍କର ଏହି ଯୁକ୍ତିକୁ ବିରୋଧ କରିଥିଲେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ। ୧୯୫୫ରେ କାର୍ଯ୍ୟକାରୀ ହୋଇଥିବା ନାଗରିକତା ଆଇନକୁ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂଶୋଧିତ ଆଇନ ସମ୍ବିଧାନର ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା।
ଏହି ଆଇନ୍ ଯୋଗୁଁ ଭାରତରେ ବେଆଇନ ଅନୁପ୍ରବେଶ ବୃଦ୍ଧି ପାଇବ ବୋଲି ମଧ୍ୟ ଦର୍ଶାଯାଇଛି। ଧାର୍ମିକ ନିର୍ଯାତନାରେ ଶିକାର ହୋଇ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ପଳାୟନ କରି ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତକୁ ପ୍ରବେଶ କରିଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ୍, ବୌଦ୍ଧ ଏବଂ ପାର୍ସୀ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବ। ଏହି ଆଇନକୁ ବିରୋଧୀ ଦଳଗୁଡ଼ିକର ଜୋର୍ଦାର ବିରୋଧ ଯୋଗୁଁ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳିଛି। ଉତ୍ତରପୂର୍ବରେ ପ୍ରଥମେ ଆରମ୍ଭ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ପରେ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟରେ ରବିବାର ଦିନ ଏହି ପ୍ରତିବାଦ ଉଗ୍ରରୂପ ଧାରଣ କରିଥିଲା। ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ ପୁଲିସ ମାତ୍ରାଧିକ ବଳ ପ୍ରୟୋଗ କରିବା ମାମଲାରେ ଏବେ ସ୍ଥିତି ସରଗରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/supreme-court-newsclick-1.jpg)