ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ ସଂପର୍କରେ ପୂର୍ବରୁ ପ୍ରଦାନ କରିଥିବା ରାୟ ଉପରେ ଦେଶର ସର୍ବୋଚ୍ଚ ନାୟ୍ୟାଳୟ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି। ଏଥିସହ ଏହି ମାମଲାରେ ପକ୍ଷଭୁକ୍ତ ସମସ୍ତ ପକ୍ଷଙ୍କୁ ଆସନ୍ତା ଦୁଇଦିନ ମଧ୍ୟରେ ନିଜନିଜ ପକ୍ଷ ବା ଜବାବ ଲିଖିତ ଭାବେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧୦ ଦିନ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି।
Supreme Court refuses to stay its order on SC/ST Act, asks all parties to submit detailed replies within two days; matter to be heard after 10 days. pic.twitter.com/2Is9Vosusa
— ANI (@ANI) April 3, 2018
ଉଲ୍ଲେଖଯୋଗ୍ୟ, ଏସ୍ସି/ଏସ୍ଟି ଆକ୍ଟ- ୧୯୮୯ ଅନୁଯାୟୀ, ଅନୁସୂଚିତ ଜାତି/ଜନଜାତିଙ୍କ ବିରୋଧରେ କୌଣସି ବି ଅପରାଧକୁ ଧର୍ତ୍ତବ୍ୟ ଏବଂ ଜାମିନବିହୀନ ଭାବେ ବିବେଚନା କରାଯିବ ବୋଲି ବ୍ୟବସ୍ଥା ରହିଥିଲା। ତେବେ ଏହି ଆଇନର ଦୁରୁପଯୋଗ ଆଶଙ୍କା କରି ସୁପ୍ରିମ କୋର୍ଟ ଗତ ମାର୍ଚ୍ଚ ୨୦ ତାରିଖରେ ଏହି ଆଇନ୍ରେ ସଂଶୋଧନ ଆଣି କହିଥିଲେ ଯେ ଅଭିଯୋଗ ମିଳିଲା ମାତ୍ରେ ଏହି ଆଇନ ବଳରେ କାହାରିକୁ ତୁରନ୍ତ ଗିରଫ କରାଯାଇ ପାରିବ ନାହିଁ । ଏହି ରାୟ ଦେବା ସହ ଏଥିନେଇ କଡ଼ା ସର୍ତ୍ତ ମଧ୍ୟ ଲଗାଇଥିଲେ।
ତେବେ, ସୁପ୍ରମ୍ କୋର୍ଟଙ୍କ ଏହି ରାୟକୁ ଦେଶର କେତେକ ପ୍ରମୁଖ ରାଜନୈତିକ ଦଳ ସମେତ ଦଳିତ ସଂଗଠନଗୁଡ଼ିକ ବିରୋଧ କରିବା ପରେ କେନ୍ଦ୍ର ସରକାର ସୋମବାର ଦିନ ସପ୍ରିମ୍ କୋର୍ଟ ତାଙ୍କ ରାୟର ପୁନଃବିଚାର କରିବା ସହ ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ (ଏସ୍ସି/ଏସ୍ଟି ଆକ୍ଟ)- ୧୯୮୯ରେ ପୂର୍ବ ସ୍ଥିତି କାଏମ୍ ରଖିବା ପାଇଁ ଆବେଦନ କରି ଏକ ରିଭ୍ୟୁ ପିଟିସନ୍ ଆଗତ କରିଥିଲେ।
ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ରିଭ୍ୟୁ ପିଟିସନ୍ର ଶୁଣାଣି କରି ପୂର୍ବ ପ୍ରଦତ୍ତ ରାୟ ଉପରେ ରହିତାଦେଶ ଜାରି କରିବେ ନାହିଁ ବୋଲି ମନା କରି ଦେଇଛନ୍ତି। ଏଥିସହ ଖଣ୍ଡପୀଠ କହିଛନ୍ତି ଯେ କୋର୍ଟ ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ (ଏସ୍ସି/ଏସ୍ଟି ଆକ୍ଟ)- ୧୯୮୯ କୌଣସି ଭାବେ ଗୌଣ କରିନାହାନ୍ତି କିମ୍ବା ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସୁରକ୍ଷାକୁ ଅଣଦେଖା କରି ନାହାନ୍ତି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ଅଭିଯୋଗ ଆଗତ କରିବା ମାତ୍ରେ ଏଫ୍ଆଇଆର୍ ପଞ୍ଜିକରଣ ନ କରି ସୁଦ୍ଧା ପୀଡ଼ିତଙ୍କୁ ତୁରନ୍ତ ନ୍ୟାୟ ଓ କ୍ଷତିପୂରଣ କୋର୍ଟ ଦେବାକୁ ବ୍ୟବସ୍ଥା କରିଛନ୍ତି। ଏଥିସହ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପକ୍ଷରୁ ଆସୁଥିବା ସମସ୍ତ ନିର୍ଯାତନା ଅଭିଯୋଗ ଭାରତୀୟ ଦଣ୍ଡବିଧି ଆଇନ୍ (ଆଇପିସି)ର ଧାରା ଅନୁଯାୟୀ ପଞ୍ଜିକରଣ କରାଯାଇ ଅବିଳମ୍ବେ ତଦନ୍ତ ଆରମ୍ଭ ହେବ ଏବଂ ତଦନ୍ତ କାଳରେ ଯଦି ଜଣାପଡ଼େ ଯେ ହୋଇଥିବା ଅପରାଧଟି ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ (ଏସ୍ସି/ଏସ୍ଟି ଆକ୍ଟ)- ୧୯୮୯ର ପରିସର ଭୁକ୍ତ, ତେବେ ସେ କ୍ଷେତ୍ରରେ ଯାଇ ଏହି ଆଇନ୍କୁ ଲାଗୁ କରାଯିବ।
ଅଭିଯୋଗ ଆଗତ ମାତ୍ରେ ଏହି ଆଇନ ବଳରେ କାହାକୁ ତୁରନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିବା ସହ ଅଦାଲତଙ୍କ ଏହି ରାୟ ସଂପୃକ୍ତ ଆଇନକୁ ଆଦୌ ହାଲୁକା କରୁନାହିଁ ବୋଲି କହି ରହିତାଦେଶ ଜାରି କରିବା ପାଇଁ ମନା କରି ଦେଇଛନ୍ତି।