ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ନିଟ୍‌-ପିଜି ପରୀକ୍ଷା ସ୍ଥଗିତ ରଖିବାପାଇଁ ମନା କରିଦେଇଛନ୍ତି। ଆସନ୍ତା ୧୧ ତାରିଖରେ ନିଟ୍‌ ପିଜି ପରୀକ୍ଷା ଅଛି। ପରୀକ୍ଷା ସ୍ଥଗିତ ରଖିବାପାଇଁ ୫ ଜଣ ଛାତ୍ର ସୁପ୍ରିମକୋର୍ଟ‌ରେ କରିଥିବା ଏକ ଆବେଦନକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେପି ପର୍ଦ୍ଦିୱାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି, କେବଳ ୫ ଜଣଙ୍କ ପାଇଁ ଆମେ ୨ ଲକ୍ଷ ଛାତ୍ରଙ୍କ ଭବିଷ୍ୟତ ସହ ଖେଳି ପାରିବୁନି। ନୀତି ମୁତାବକ ଆମେ ପରୀକ୍ଷା ଘୁଞ୍ଚାଇ ପାରିବୁନି। ପରୀକ୍ଷା ସ୍ଥଗିତ ରହିଲେ ୨ ଲକ୍ଷ ଛାତ୍ର ଏବଂ ୪ ଲକ୍ଷ ଅଭିଭାବକ ପ୍ରଭାବିତ ‌ହେବେ। ଆମେ ଏହାଦ୍ବାରା ଅନେକ ପରୀକ୍ଷାର୍ଥୀଙ୍କ କ୍ୟାରିୟରକୁ ନଷ୍ଟ କରିପାରିବୁନି। ଆରମ୍ଭରେ ନିଟ୍‌ ପିଜି ୨୦୨୪ ପରୀକ୍ଷା ଜୁଲାଇ ୨୩ ତାରିଖରେ ଥିଲା।

Advertisment

କିନ୍ତୁ ନିଟ୍‌ ୟୁଜି ପରୀକ୍ଷାରେ ଅନିୟମିତତା ହେବାପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ନିଟ୍‌ ପିଜି ପରୀକ୍ଷା ସ୍ଥଗିତ ରଖିଥିଲେ। ଏହାପରେ ଅଗଷ୍ଟ ୧୧ ତାରିଖରେ ପରୀକ୍ଷା ତାରିଖ ଧାର୍ଯ୍ୟ କରାଗଲା। କିନ୍ତୁ ସୁପ୍ରିମକୋର୍ଟରେ ଆବେଦନ କରିଥିବା ୫ ଜଣ ଛାତ୍ର ଏହା ଦର୍ଶାଇଛନ୍ତି ଯେ ସେମାନଙ୍କୁ ପରୀକ୍ଷା ଦେବାପାଇଁ ‌ଯେଉଁ ସହର ଉପଲବ୍ଧ କରାଯାଇଛି ‌ସେଠାରେ ପହଞ୍ଚିବା ‌ସେମାନଙ୍କ ପାଇଁ ଜଟିଳ ହେବ। କାରଣ ପରୀକ୍ଷା କେନ୍ଦ୍ର ସଂକ୍ରାନ୍ତରେ କେବଳ ୨ ଦିନ ପୂର୍ବରୁ ଘୋଷଣା କରାଯିବ। ଫଳରେ ସେଠାରେ ପହଞ୍ଚିବାପାଇଁ ଟ୍ରେନ୍‌ ଟିକେଟ୍‌ ଏବଂ ବିମାନ ଟିକେଟ୍‌ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଅନେକ ଛାତ୍ରଙ୍କୁ ଏମିତି ସହର ଦିଆଯାଇଛି ଯେ ଯେଉଁଠା‌ରେ ସେମାନେ ପହଞ୍ଚିବା କଷ୍ଟଦାୟକ ହେବ। ଛାତ୍ରଛାତ୍ରୀମାନେ ମଧ୍ୟ ୨ଟି ବ୍ୟାଚ୍‌ରେ ପରୀକ୍ଷା ହେବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କିନ୍ତୁ ଖଣ୍ଡପୀଠ ଆବେଦନର ଶୁଣାଣି ପାଇଁ ମନା କରିଦେଇଛନ୍ତି।