ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ତାଙ୍କ ଅନ୍ତରୀଣ ଜାମିନ ଅବଧିକୁ ୭ ଦିନ ବଢ଼ାଇବାକୁ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜାମିନ ଆବେଦନ ଆବେଦନ ନେଇ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି।

Advertisment

ଏହାଛଡ଼ା ଶୁଣାଣି ପାଇଁ ଏହି ଆବେଦନକୁ ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟକୁ ପଠାଯାଇଛି। ଆମ୍ ଆଦମୀ ପାର୍ଟି (ଆପ୍‌) ସୁପ୍ରିମୋ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ସାତ ଦିନ ବୃଦ୍ଧି କରିବାକୁ ଚାହୁଁଛନ୍ତି, ଯାହା ଜୁନ୍‌ ୧ ତାରିଖ ଦିନ ଶେଷ ହେବ। ସେ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜାମିନ ଅବଧି ବଢ଼ାଇବାକୁ କୋର୍ଟଙ୍କୁ ତାଙ୍କ ଆବେଦନରେ କହିଛନ୍ତି।

ମେ ୧୦ ତାରିଖରେ ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଅନୁମୋଦନ କରିବା ପରେ ମାର୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁରୁତ୍ବ ବିଷୟରେ ଉଲ୍ଲେଖ କରି କେଜ୍ରିୱାଲ ୭ କିଲୋଗ୍ରାମ ଓଜନ ହ୍ରାସ ହେବା ଏବଂ କେଟୋନ୍ ସ୍ତର ବୃଦ୍ଧି ପରେ ପିିଇଟି-ସିଟି ସ୍କାନ୍ ସମେତ ଡାକ୍ତରୀ ପରୀକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରି ଏହି ଆବେଦନ କରିଛନ୍ତି।

ଲୋକସଭା ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା। ମ୍ୟାକ୍ସ ହସ୍ପିଟାଲର ଡାକ୍ତରୀ ଦଳ ପ୍ରାଥମିକ ପରୀକ୍ଷା କରିସାରିଛନ୍ତି। ଏହି ପରୀକ୍ଷା ତାଙ୍କ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଇନ ପରାମର୍ଶଦାତା ଯୁକ୍ତି ବାଢ଼ିଛନ୍ତି ଏବଂ ଆବଶ୍ୟକ ଡାକ୍ତରୀ ପରୀକ୍ଷା ପାଇଁ କୋର୍ଟଙ୍କୁ ଜାମିନ ଅବଧି ବୃଦ୍ଧି ପାଇଁ ନିବେଦନ କରିଛନ୍ତି।