ସୁପ୍ରିମ କୋର୍ଟରେ କେନ୍ଦ୍ରକୁ ଝଟ୍‌କା : ସିବିଆଇ ମୁଖ୍ୟ ଭ‌ାବେ ବର୍ମା ପୁଣି ଅବସ୍ଥାପିତ

ଏବେ ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ

ନୂଆଦିଲ୍ଲୀ : ସିବିଆଇ ନିର୍ଦେଶକ ଅ‌ାଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମ କୋର୍ଟ ଆଜି ରଦ୍ଦ କରିଦେଇଛନ୍ତି। ‌କୋର୍ଟ କହିଛନ୍ତି ଯେ ବର୍ମା ଏବେ ସିବିଆଇ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିପାରିବେ। କିନ୍ତୁ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ। ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଥିବା ବର୍ମାଙ୍କ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବାଲାଗି ଉଚ୍ଚକ୍ଷମତାସଂପନ୍ନ ମନୋନୟନ କମିଟିକୁ କୁହାଯାଇଛି। ଏକ ସପ୍ତାହ ମଧ୍ୟରେ ଏହି କମିଟି ବସି ନିଷ୍ପତ୍ତି ନେବ। ଉକ୍ତ କମିଟିରେ ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ ଏବଂ ଲୋକସଭାରେ ବିରୋଧୀ ଦଳର ନେତା ରହିଛନ୍ତି।

ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତ୍ତି ଆଲୋକ ବର୍ମାଙ୍କୁ ଆଂଶିକ ଭାବେ ଆଶ୍ବସ୍ତ କରିଥିବା ବେଳେ କେନ୍ଦ୍ର ସରକାର ପାଇଁ ଗୁରୁତର ଝଟକା ହୋଇଛି। ବର୍ମା ଏବଂ ଉପନିର୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ କଳି ଗୁରୁତର ଆକାର ଧାରଣ କରିବାରୁ କେନ୍ଦ୍ର ସରକାର ଗତ ଅକ୍ଟୋବର ମାସରେ ରାତି ଅଧିଆ ନିଷ୍ପତ୍ତି ନେଇ ବର୍ମାଙ୍କ ଠାରୁ ସମସ୍ତ କ୍ଷମତ‌ା କାଢ଼ିନେବା ସହିତ ତ‌ାଙ୍କୁ ଛୁଟିରେ ପଠାଇ ଦେଇଥିଲେ। ମୁଖ୍ୟ ଭିଜିଲାନ୍ସ କମିସନର (ସିଭିସି)ଙ୍କ ସୁପାରିସ କ୍ରମେ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥି‌େଲ। ତାଙ୍କ ସ୍ଥାନରେ ଯୁଗ୍ମ ନିର୍ଦେଶକ ନାଗେଶ୍ବର ରାଓଙ୍କୁ କାର୍ଯ୍ୟକାରୀ ନିର୍ଦେଶକ ନିଯୁକ୍ତ କରିଥିଲେ। ବର୍ମା ଏହାକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋ‌ଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ବେଞ୍ଚ ଆଜି ସିଭିସି ସୁପାରିସ ଏବଂ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ ଆଦେଶକୁ ରଦ୍ଦ କରିଦେଇଛନ୍ତି। ୪୪ ପୃଷ୍ଠା ବିଶିଷ୍ଟ ରାୟରେ କୋର୍ଟ କହିଛନ୍ତି ଯେ କେନ୍ଦ୍ର ତଦନ୍ତ ବ୍ୟୁରୋ (ସିବିଆଇ) ଭଳି ଜାତୀୟ ତଦନ୍ତକାରୀ ସଂସ୍ଥାର ସ୍ବାଧୀନତା ଓ ମର୍ଯ୍ୟାଦା ଅକ୍ଷୁଣ୍ଣ ରହିବା ଉଚିତ। ଏହାର ନିର୍ଦେଶକ ଏଭଳି ଦାୟିତ୍ବ ତୁଲାଇବା ଉଚିତ ଯେ ‌େସ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବେ। ତାଙ୍କ କାର୍ଯ୍ୟରେ କେହି ହସ୍ତକ୍ଷେପ କରିବା ଉଚିତ ନୁହେଁ। ଯେଉଁ ଢଙ୍ଗରେ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ତାହା ଠିକ୍ ନଥିଲା। କାରଣ ସିବିଆଇ ମୁଖ୍ୟଙ୍କୁ ହଟାଇବା ପାଇଁ ସରକାର କିମ୍ବା କେନ୍ଦ୍ରୀୟ ଭିଜିଲାନ୍ସ କମିସନ୍‌ (ସିଭିସି)ଙ୍କର କୌଣସି କ୍ଷମତା ନାହିଁ। କେବଳ କ୍ଷମତାସମ୍ପନ୍ନ କମିଟି ହିଁ ଏଭଳି ନିଷ୍ପତ୍ତି ନେଇପାରିବେ।

ବର୍ମାଙ୍କ ବି‌ରୋଧରେ ଗତ ଅକ୍ଟୋବର ୨୩-୨୪ ମଧ୍ୟରାତ୍ରି‌ରେ ‌କେନ୍ଦ୍ର ସରକାର ଓ ସିଭିସି ନେଇଥିବା ନିଷ୍ପତ୍ତିକୁ ରଦ୍ଦ କରି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ବିଚାରପତି ଏସ୍‌ କେ କୌଲ୍‌ ଏବଂ ବିଚାରପତି କେ ଏମ୍‌ ଯୋଶେଫ୍‌ଙ୍କ ଖଣ୍ଡପୀଠ କହିଛନ୍ତି, ଯଦିଓ ସିବିଆଇ ନିର୍ଦ୍ଦେଶକ ଭାବେ ବର୍ମା ପୁନଃ ଅବସ୍ଥାପିତ ହେବେ, କିନ୍ତୁ ସେ ଏହି ପ୍ରମୁଖ ତଦନ୍ତକାରୀ ଅନୁଷ୍ଠାନରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ। ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ଲୋକସଭା ବିରୋଧୀ ଦଳ ନେତା) ବର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନନେବା ଯାଏ ସେ କୌଣସି ଗୁରୁତ୍ବପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ନେବେନାହିଁ। ଆଗାମୀ ୭ ଦିନ ମଧ୍ୟରେ କମିଟିର ବୈଠକ ବସିବା ଆବଶ୍ୟକ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି।

ସୁପ୍ରିମ୍‌ କୋର୍ଟ କହିଛନ୍ତି ‌ଯେ କେବଳ ଦୁର୍ନୀତି ସଂକ୍ରାନ୍ତରେ ମାମଲାଗୁଡ଼ିକରେ ସିଭିସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବ। କିନ୍ତୁ ସିବିଆଇ ମୁଖ୍ୟଙ୍କ ନିଯୁକ୍ତି, ନିଲମ୍ବନ କିମ୍ବା ବହିଷ୍କାର ସଂପର୍କରେ କେବଳ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ହିଁ ନିଷ୍ପତ୍ତି ନେଇପାରିବ। କିନ୍ତୁ କେନ୍ଦ୍ର ସରକାର ଓ ସିଭିସି ରାତିଅଧିଆ କାର୍ଯ୍ୟାନୁଷ୍ଠାନ ନେଇ ସିବିଆଇ ଦୁଇ ପ୍ରମୁଖ ଅଧିକାରୀଙ୍କୁ ଛୁଟିରେ ପଠାଇଥିଲେ। ଏ ବାବଦରେ ଅନ୍ତତଃ କ୍ଷମତାସମ୍ପନ୍ନ କମିଟିର ଅନୁମତି ନିଆଯିବାର ଥିଲା ବୋଲି ଖଣ୍ଡପୀଠ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସିବିଆଇ ନିର୍ଦ୍ଦେଶକ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ଅସ୍ଥାନା ପରସ୍ପରଙ୍କ ବିରୋଧରେ ଗୁରୁତର ଲାଞ୍ଚ ଅଭିଯୋଗ ଆଣିବା ପରେ ମାମଲା ଅତ୍ୟନ୍ତ ସଙ୍ଗିନ୍‌ ହୋଇପଡ଼ିଥିଲା। ବିବାଦ କ୍ରମେ ବଢ଼ିବାରୁ କେନ୍ଦ୍ର ସରକାର ସିଭିସିଙ୍କୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କରିଥିଲେ। ଫଳରେ ଅକ୍ଟୋବର ୨୩ ଓ ୨୪ ତାରିଖ ମଧ୍ୟରାତ୍ରିରେ ରାତିଅଧିଆ ଡ୍ରାମା ଚାଲିଥିଲା। ରାତାରାତି ବର୍ମା ଓ ଅସ୍ଥାନାଙ୍କୁ ଅନିର୍ଦ୍ଦିଷ୍ଟ କାଳ ଛୁଟି‌ରେ ପଠାଯିବା ସହ ଅନ୍ୟ ପ୍ରମୁଖ ଅଧିକାରୀମାନଙ୍କୁ ବଦଳି କରାଯାଇଥିଲା। ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଏମ୍‌ ନାଗେଶ୍ବର ରାଓଙ୍କୁ ନିଯୁକ୍ତି ଦିଆଯାଇଥିଲା।
ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ସର୍ବୋଚ୍ଚ ଅଦାଲତଙ୍କ ଏଭଳି ରାୟ ସରକାରଙ୍କୁ ଅକଳରେ ପକାଇ ଦେଇଛି। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟ ‌ମୋଦୀ ସରକାରଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ୍‌ ଖଡ଼ଗେ କହିଛନ୍ତି, ଆମେ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ସ୍ବାଗତ କରୁଛୁ। ଏହାଦ୍ବାରା ସରକାରଙ୍କୁ ଉଚିତ ଶିକ୍ଷା ମିଳିଛି। ସରକାର କିଛି ଲୋକଙ୍କ ମୁହଁ ବନ୍ଦ କରିବା ପାଇଁ ସିବିଆଇକୁ ବ୍ୟବହାର କରୁଛନ୍ତି। କାଲି ଆଉ କେଉଁ ସରକାର ଯଦି ଏଭଳି କରନ୍ତି, ‌ଗଣତନ୍ତ୍ରର ଗତି କୁଆଡ଼େ ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର