‘ପଦ୍ମାବତୀ’ର ଆପତ୍ତିଜନକ ଦୃଶ୍ୟକୁ ବାଦ୍‌ ଲାଗି ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ‘ପଦ୍ମାବତୀ’ ଚଳଚ୍ଚିତ୍ରର କିଛି ଆପତ୍ତିଜନକ ଦୃଶ୍ୟକୁ ବାଦ ଦେବା ପାଇଁ ହୋଇଥିବା ଆବେଦନକୁ ସୋମବାର ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି।

ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ  ଖଣ୍ଡପୀଠ ଏହି ମାମଲାର ବିଚାର କରି ସୂଚୀତ କରିଛନ୍ତି ଯେ ଚଳଚ୍ଚିତ୍ରଟି ଏ ପର୍ଯ୍ୟନ୍ତ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ(ସିବିଏଫ୍‌ସି)ର ସାର୍ଟିଫିକେଟ୍‌ ପ୍ରାପ୍ତ ହୋଇନାହିଁ । ତେଣୁ, ଏହି ମାମଲାରେ ହସ୍ତକ୍ଷେପ କରିବା ଅସଙ୍ଗତ ହେବ। ହସ୍ତକ୍ଷେପ କରିବା ପାଇଁ ଆମେ ଇଚ୍ଛୁକ ନାହୁଁ ବୋଲି ଶ୍ରୀ ମିଶ୍ର ତାଙ୍କ ରାୟରେ କହିଛନ୍ତି । ଏହି ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ସମେତ ଏ ଏମ୍‌ ଖାନ୍‌ଓ୍ଵଲ୍‌କର୍‌ ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ ସାମିଲ ଥିଲେ।

ଚଳଚ୍ଚିତ୍ରରୁ ଆପତ୍ତିଜନକ ଦୃଶ୍ୟ କାଟିବାକୁ ଆଇନଜୀବୀ ଏମ୍‌.ଏଲ୍‌ ଶର୍ମା ଆବେଦନ କରିଥିଲେ। ସେ ଅଭିଯୋଗ କରିଥିଲେ କି ସେନ୍‌ସର୍‌ ବୋର୍ଡ ଏ ପର୍ଯ୍ୟନ୍ତ ସାର୍ଟିଫିକେଟ୍‌ ପ୍ରଦାନ କରିନାହିଁ, ମାତ୍ର ଚଳଚ୍ଚିତ୍ରର ‘ଘୁମର୍‌’ ନୃତ୍ୟ ରିଲିଜ୍‌ ହୋଇସାରିଲାଣି।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ ତାରିଖରେ ରିଲିଜ୍‌ ହୋଇଥାନ୍ତା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଦ୍ମାବତୀ’। ମାତ୍ର ଚଳଚ୍ଚିତ୍ରର ପ୍ରଯୋଜନା ସଂସ୍ଥା ପକ୍ଷରୁ ଚଳଚ୍ଚିତ୍ରଟିକୁ ପୂର୍ବ ନିର୍ଦ୍ଧାରିତ ତାରିଖରେ ରିଲିଜ କରିବାକୁ ମନା କରି ଦିଆଯାଇଛି। ରିଲିଜ୍‌ ତାରିଖ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର