ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ବାୟୁ ମାନ କମିଟିକୁ କଡ଼ା ସମାଲୋଚନା କରିଛନ୍ତି। ଉତ୍ତର ଭାରତୀୟ ରାଜ୍ୟରେ ନଡ଼ାପାଳ ଜଳିବା ଘଟଣା ଯୋଗୁଁ ଦିଲ୍ଲୀରେ ବାୟୁପ୍ରଦୂଷଣ ବଢ଼ୁଥିଲେ ମଧ୍ୟ ସ୍ଥାନୀୟ ଅଧିକାରୀ କିଛି କାର୍ଯ୍ୟପନ୍ଥା ଗ୍ରହଣ କରୁନାହାନ୍ତି ଏବଂ କମିଟି ଏ କ୍ଷେତ୍ରରେ ନିଷ୍କ୍ରିୟ ରହିଛି। ଏହି କାରଣ ପାଇଁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ବାୟୁ ମାନ କମିଟି ଉପରେ ବର୍ଷିଛନ୍ତି। ସିଏକ୍ୟୁଏମ୍ (କମିସନ୍ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ୍) କମିସନରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି କୋର୍ଟ କହିଛନ୍ତି ନଡ଼ାପାଳ ଜାଳିବା ନିୟନ୍ତ୍ରଣ କରିବାକୁ ଗୋଟିଏ ବି କମିଟି ଗଠନ ହୋଇନାହିଁ। ପ୍ରତିବର୍ଷ ଆମେ ନଡ଼ାପାଳ ଜାଳିବା ଦେଖୁଛୁ। ସିଏକ୍ୟୁଏମ୍ ଆଇନର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରାଯାଉଛି। କମିଟି ଯଦି ଗଠନ ହୋଇଛି ତା’ହେଲେ ଏଯାବତ ଏଦିଗରେ କେଉଁ ପଦକ୍ଷେପ ଗ୍ରହଣ ହୋଇଛି ତାହା ଜଣାଅ ବୋଲି କୋର୍ଟ କହିଛନ୍ତି। ଆଇନ ଅଧୀନରେ ଆପଣମାନେ କେଉଁ ନିର୍ଦ୍ଦେଶ ପାଳନ କରୁଛନ୍ତି। ଆପଣମାନେ କେବଳ ନିରବଦ୍ରଷ୍ଟା ସାଜିଛନ୍ତି। ଆପଣମାନେ କିଛି କରୁନାହାନ୍ତି। ସବୁକିଛି କେବଳ ପବନରେ ଚାଲିଛି ବୋଲି ଖଣ୍ଡପୀଠ ମନ୍ତବ୍ୟ ଦେଇଛନ୍ତି।
ବାୟୁ ମାନ କମିଟି ଅଧ୍ୟକ୍ଷ କହିଛନ୍ତି, ପ୍ରତି ୩ ମାସରେ ଥରେ ୩ଟି ସବ୍କମିଟି ଗୋଟିଏ ବୈଠକ କରୁଛନ୍ତି। ଏହାର ଉତ୍ତରରେ କୋର୍ଟ କହିଥିଲେ, ୩ ମାସରେ ଗୋଟିଏ ବୈଠକ କରି ସେମାନେ ସବୁ କାର୍ଯ୍ୟ କିଭଳି ସମ୍ପାଦନ କରୁଛନ୍ତି ? ନଡ଼ାପାଳ ଜାଳିବା ରୋକିବାପାଇଁ କୋଟି କୋଟି ଟଙ୍କାର ଉପକରଣ ଦିଆଯାଇଛି। ଏହାର ସ୍ଥିତି କ’ଣ ବୋଲି କମିଟି ପ୍ରଶ୍ନ କରିଛନ୍ତି।