ନୂଆଦିଲ୍ଲୀ: ୨୦୦୦ ବର୍ଗକିଲୋମିଟରରୁ ଅଧିକ ଭାରତୀୟ ଅଞ୍ଚଳକୁ ଚୀନ୍ ଦଖଲ କରି ନେଇଛି ବୋଲି କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କରିଥିବା ଦାବିକୁ ନେଇ ସୁପ୍ରିମ୍‌କୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ତେବେ ଏହି ବୟାନକୁ ନେଇ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ମାନହାନି ପ୍ରକ୍ରିୟାକୁ ଅଦାଲତ ସ୍ଥଗିତ ରଖିଛନ୍ତି। ୨୦୨୨ ଭାରତ ଯୋଡ଼ୋ ଯାତ୍ରା ସମୟରେ କଂଗ୍ରେସ ନେତା ଦାବି କରିଥିଲେ ଯେ ଚୀନ୍ ୨,୦୦୦ ବର୍ଗକିଲୋମିଟର ଭାରତୀୟ ଅଞ୍ଚଳ ଦଖଲ କରିଛି। ଚୀନ୍ ସୈନିକମାନେ ଅରୁଣାଚଳ ପ୍ରଦେଶରେ ଭାରତୀୟ ସୈନିକଙ୍କୁ ମାଡ଼ ମାରୁଛନ୍ତି।

Advertisment

ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ତାଙ୍କୁ ପ୍ରଶ୍ନ କରିଛନ୍ତି, ୨୦୦୦ ବର୍ଗକିଲୋମିଟର ଚୀନ୍ ଦଖଲ କରିଥିବା କଥା ଆପଣ କେମିତି ଜାଣିଲେ? ଯଦି ଆପଣ ଜଣେ ପ୍ରକୃତ ଭାରତୀୟ ହୋଇଥିବେ ତେବେ ଏପରି କଥା କେବେହେଲେ କହିବେ ନାହିଁ। ଜଷ୍ଟିସ୍‌ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍‌ ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ସର୍ବସାଧାରଣ ସ୍ଥାନରେ କିମ୍ବା ଗଣମାଧ୍ୟମରେ ଏଭଳି ସମ୍ବେଦନଶୀଳ ମନ୍ତବ୍ୟ ଦେବା ଉଚିତ ନୁହେଁ। ଯଦି ଏଭଳି ମନ୍ତବ୍ୟ ଦେବାର ଆବଶ୍ୟକତା ଥ‌ାଏ ତା’ହେଲେ ସେ ସଂସଦରେ କହିପାରିବେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। 

ମାନହାନି ମାମଲାର ଶୁଣାଣି ସ୍ଥଗିତ

ଗତ ମେ ୨୯ ତାରିଖରେ ଆହ୍ଲାବାଦ ହାଇକୋର୍ଟ ତଳ କୋର୍ଟର ସମନ୍‌ ଓ ଆପରାଧିକ ଅଭିଯୋଗକୁ ଖାରଜ କରିବା ପାଇଁ ରାହୁଲଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ପରେ ସେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଯୁକ୍ତି ବାଢ଼ିଥିଲେ ଯେ, ଏହି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ତାଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ କହିଥିଲେ ଯେ ବାକ୍ ସ୍ୱାଧୀନତା ସେନାକୁ ବଦନାମ କରିବା ପାଇଁ ନୁହେଁ। ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ସଂସଦରେ ତାଙ୍କ ପୂର୍ବ ବୟାନକୁ ଏକ୍ସରେ ପୁନର୍ବାର ପୋଷ୍ଟ୍‌ କରିଛନ୍ତି, ଯେଉଁଥିରେ ବିଜେପି ନେତା ରିଜିଜୁ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ମିଥ୍ୟା କାହାଣୀ ବୋଲି କହିଥିଲେ ଏବଂ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଚୀନ୍ ଅରୁଣାଚଳ ପ୍ରଦେଶରେ ଏକ ଇଞ୍ଚ ଜମି ମଧ୍ୟ ନେଇନାହିଁ। ରାଜସ୍ଥାନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ଉତ୍ତରପ୍ରଦେଶରେ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଥିଲା ଏବଂ ନିମ୍ନ ଅଦାଲତ ତାଙ୍କୁ ସମନ ଜାରି କରିଥିଲେ। ଏହାପରେ ସେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ମାମଲାର ଶୁଣାଣି ଓ ସମନକୁ ରଦ୍ଦ କରିବାକୁ ଦାବି କରିଥିଲେ। କିନ୍ତୁ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ବର୍ତ୍ତମାନ ସୁପ୍ରିମ୍‌କୋର୍ଟ ରାହୁଲଙ୍କ ମାନହାନି ମାମଲାକୁ ସ୍ଥଗିତ ରଖିଥିଲେ ମଧ୍ୟ ‌ତାଙ୍କର ସେନା-ବିରୋଧୀ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି।