ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍ରୀମସ୍‌ଜିଦ ଜମି ବିବାଦ ମାମଲାର ଶୁଣାଣି ଆଜି ସୁପ୍ରିମ କୋର୍ଟରେ ହୋଇଛି। ମାମଲାର ସ୍ଥାୟୀ ସମାଧାନ ଲାଗି ଅଦାଲତଙ୍କ ତଦାରଖରେ ମଧ୍ୟସ୍ଥତା ଜରୁରୀ କି ନାହିଁ ତାହା ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ବିଚାର କରି ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ଅଦାଲତ ଅଯୋଧ୍ୟାର ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ଜମି ବିବାଦ ସହ ସଂପୃକ୍ତ ସମସ୍ତ ପକ୍ଷଙ୍କୁ ମଧ୍ୟସ୍ଥ ବା ମଧ୍ୟସ୍ଥମାନଙ୍କ ନାମ ପ୍ରସ୍ତାବ ଦେବାକୁ କହିଛନ୍ତି।

Advertisment

ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ମାମଲାର ସ୍ଥାୟୀ ସମାଧାନ ଲାଗି ଉଭୟ ପକ୍ଷ ନିର୍ଦ୍ଦିଷ୍ଟ ମଧ୍ୟସ୍ଥ କିମ୍ବା ମଧ୍ୟସ୍ଥମାନଙ୍କ ନାମ ପ୍ରସ୍ତାବ କରନ୍ତୁ। ଏହାକୁ ବିଚାର କରି ଆମେ ନିର୍ଦ୍ଦେଶନାମା ଜାରି କରିବୁ ବୋଲି କହିଛନ୍ତି ମୁଖ୍ୟ ବିଚାରପତି ଗୋଗେଇ। ଏଥିସହ ଏହି ମାମଲାର ତୁରନ୍ତ ସମାଧାନ ଆମେ ଚାହୁଁଛୁ ବୋଲି ମୁଖ୍ୟବିଚାରପତି ମତ ରଖିଛନ୍ତି।

ମୁସିଲମ୍‌ମାନଙ୍କ ପକ୍ଷ ଉପସ୍ଥାପନ କରି ଆଡଭୋକେଟ୍‌ ରାଜୀବ ଧାଓ୍ଵନ ଖଣ୍ଡପୀଠକୁ  କହିଥିଲେ ଯେ,ଅଦାଲତଙ୍କ ମଧ୍ୟସ୍ଥତା ଲାଗି ମୁସଲିମ୍‌ ଆବେଦନକାରୀମାନେ ରାଜି। କୌଣସି ଧରଣର ଆପୋଷ ସମାଧାନ ଲାଗି ପ୍ରସ୍ତାବକୁ ସେମାନେ ଗ୍ରହଣ କରିବେ।

ତେବେ ହିନ୍ଦୁ ମହାସଭା ମଧ୍ୟସ୍ଥ ନିଯୁକ୍ତିକୁ ବିରୋଧ କରିଛି। ମହାସଭା କହିଛି କି ଏହି ଜମି ରାମଲାଲାଙ୍କର ଏବଂ ଏଥିସହ ଲୋକଙ୍କର ଭାବାବେଗ ଜଡ଼ିତ ଅଛି। ଏଣୁ ଏ ମାମଲା ନେଇ କାହାର ମଧ୍ୟସ୍ଥତା କରିବାର ଅଧିକାର ନାହିଁ। ୧୯୫୦ ମସିହାଠାରୁ ହିନ୍ଦୁମାନେ ନ୍ୟାୟ ପାଇବା ଲାଗି ଅପେକ୍ଷା କରିଛନ୍ତି।

ସୁପ୍ରିମ୍‌ କୋର୍ଟ ଫେବ୍ରୁଆରି ୨୬ରେ ମାମଲାର ଶୁଣାଣି କରି  ଅଯୋଧ୍ୟାର ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ଜମି ବିବାଦ ସହ ସଂପୃକ୍ତ ସମସ୍ତ ପକ୍ଷଙ୍କୁ କହିଥିଲେ ଯେ ଏହି ବିବାଦର ସମଧାନ ଯଦି ମଧ୍ୟସ୍ଥତା ଜରିଆରେ ହୋଇ ପାରିବାର ୧ ପ୍ରତିଶତ ବି ସମ୍ଭାବନା ରହିଥାଏ ତେବେ ତାକୁ ଖୋଜି ବାହାର କରିବା ଆବଶ୍ୟକ ଏବଂ ଏ ବାବଦରେ ସମସ୍ତ ପକ୍ଷ ଚିନ୍ତା କରିବାର ଆବଶ୍ୟକତା ରହିଛି।