ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୦ ପରେ ପ୍ରଥମ ଥର ପାଇଁ ଶାରୀରିକ ଶୁଣାଣି ପାଇଁ ଆଜି (ଗୁରୁବାର) ସୁପ୍ରିମ୍‌କୋର୍ଟ ପୁନଃ ଦ୍ୱାର ଖୋଲିଛନ୍ତି। ସର୍ବୋଚ୍ଚ ଅଦାଲତ ନିକଟରେ ଶୁଣାଣି ପାଇଁ ଏକ ନୂତନ ଏସଓପି ଜାରି କରିଥିଲେ। ଯାହା ଅନୁଯାୟୀ ବୁଧବାର ଏବଂ ଗୁରୁବାର ଦିନ ସମସ୍ତ ମାମଲାର ଶୁଣାଣି କେବଳ କୋର୍ଟ ରୁମରେ ଉଭୟ ଓକିଲ ଏବଂ ପକ୍ଷଙ୍କ ଶାରୀରିକ ଉପସ୍ଥିତିରେ ହେବ। ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌ ମୁଖ୍ୟ ବିଚାରପତିଙ୍କୁ କୋଭିଡ-୧୯ ସଂକ୍ରମଣ ହ୍ରାସ ପାଇବା ପରଠାରୁ ଶୁଣାଣିକୁ ଭର୍ଚୁଆଲ ପରିବର୍ତ୍ତେ ଶାରୀରିକ ମୋଡରେ କରିବାକୁ ଅନୁରୋଧ କରିଥିଲା।

Advertisment

ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଜାରି କରା ଯାଇଥିବା ନୂତନ ପରିବର୍ତ୍ତିତ ଏସଓପିରେ ମାମଲା ସହ ସଂପୃକ୍ତ ଓକିଲମାନଙ୍କୁ ଶାରୀରିକ କିମ୍ବା ଭର୍ଚୁଆଲ୍‌ ମୋଡ୍‌ ବାଛିବା ପାଇଁ ଏକ ବିକଳ୍ପ ପ୍ରଦାନ କରାଯାଇଛି। ପରିବର୍ତ୍ତିତ ନିୟମରେ, ଶାରୀରିକ ଶୁଣାଣି ସମୟରେ ଖଣ୍ଡପୀଠରେ ମାମଲାର ଶୁଣାଣି ପରେ ୧୫ ମିନିଟର ବିରତି ହେବ ଏବଂ ଏହି ସମୟରେ କୋର୍ଟରୁମ୍‌କୁ ସାନିଟାଇଜ୍‌ କରାଯିବ। ଏଥିପାଇଁ କୋର୍ଟ ରୁମ୍‌କୁ ଖାଲି କରିବାକୁ ପଡିବ। ଗୋଟିଏ ପରେ ଗୋଟିଏ ମାମଲାରେ ଓକିଲମାନଙ୍କୁ ଡକାଯିବ। ଓକିଲମାନେ ସେମାନଙ୍କ ମାମଲା ଶୁଣାଣି ପାଇଁ ଆସିବା ପର୍ଯ୍ୟନ୍ତ ବିଲ୍‌ଡିଂର ବାର୍‌ ଲାଉଞ୍ଜରେ ଅପେକ୍ଷା କରିପାରିବେ। ଏଥିସହ କୋର୍ଟ କରିଡରରେ ଅଯଥା ଭିଡ଼ କରିବେ ନାହିଁ।

ଶାରୀରିକ ଶୁଣାଣି ପ୍ରକ୍ରିୟାରେ ସାମ୍ବାଦିକମାନଙ୍କୁ କୋର୍ଟ ରୁମ୍‌ ଭିତରକୁ ପ୍ରବେଶ ପାଇଁ ସୁପ୍ରିମ୍‌କୋର୍ଟ ଅନୁମତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି, ଶାରୀରିକ ଦୂରତା କଠୋର ଭାବରେ ବଜାୟ ରଖିବାର ଆବଶ୍ୟକତା ହେତୁ କୋର୍ଟ ରୁମ୍‌ ଭିତରେ ସ୍ଥାନର ସୀମିତତାକୁ ଦୃଷ୍ଟିରେ ରଖି ଜାରି ଏସ୍‌ଓପିରେ ଅନୁରୋଧ କରାଯାଇଛି ଯେ ଗଣମାଧ୍ୟମ ପ୍ରତିନିଧିମାନେ ଆତ୍ମ-ନିୟନ୍ତ୍ରଣ ପାଳନ କରିବେ ଏବଂ କୋର୍ଟ ରୁମ୍‌ ଭିତରେ ଅଯଥାରେ ଅତ୍ୟଧିକ ଭିଡ଼ କରିବେ ନାହିଁ। ଗଣମାଧ୍ୟମ ପ୍ରତିନିଧିମାନେ ଏହି ଉଦ୍ଦେଶ୍ୟରେ ନିଜ ନିଜ ମଧ୍ୟରେ ଏକ ରୋଷ୍ଟର ଜାରି କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।