ଭାରତୀୟ ଅଲିମ୍ପିକ୍ସ ସଂଘର ସିଓଏ ଅଧିକାର ଉପରେ ସୁପ୍ରିମକୋର୍ଟ ରହିତାଦେଶ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)ର ପରିଚାଳନା ଭାର ପ୍ରଶାସକ ସମିତି (ସିଓଏ) ନିଜ ହାତକୁ ନେବା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ତା’ ସହ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଏନ୍‌ଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଇଓଏର ଆବେଦନକୁ ଗ୍ରହଣ କରି ଗୁରୁବାର ଏଭଳି ରାୟ ଶୁଣାଇଛନ୍ତି। ଭାରତୀୟ କ୍ରୀଡ଼ା ପରିଚାଳନାକୁ ସିଓଏ ନିଜ ହାତକୁ ସଂପୂର୍ଣ୍ଣ ନେଇଗଲେ ଭାରତ ଆଗାମୀ ସମୟରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହୋଇପାରେ ବୋଲି ଆଇଓଏ ତା’ ଓକିଲଙ୍କ ମାଧ୍ୟମରେ ଯୁକ୍ତି ବାଢ଼ିଥିଲା। ଯାହାକୁ ଖଣ୍ଡପୀଠ ଗ୍ରହଣ କରିନେଇଥିଲା। ଆଇଓଏ ତା’ର ପକ୍ଷ ରଖିବାକୁ ଯାଇ ଆହୁରି କହିଥିଲା ଯେ ଏହା ହେଲେ ଭାରତ କେବଳ ଅନ୍ତର୍ଜାତୀୟ ପ୍ରତିଯୋଗିତା ନୁହେଁ, ଅଲିମ୍ପିକ୍ସ ଖେଳିବାର ସୁଯୋଗ ବି ହରାଇପାରେ। ଖଣ୍ଡପୀଠ ଏଭଳି ଯୁକ୍ତିରେ ଯଥାର୍ଥତା ଥିବା ହୃଦୟଙ୍ଗମ କରି ସଂପ୍ରତି ଆଇଓଏର ପରିଚାଳନା ଭାର ସିଓଏକୁ ଦିଆଯାଇ ପାରିବ ନାହିଁ। ସ୍ଥିତି ଯେଭଳି ଅଛି, ସେଭଳି ରହିବ ବୋଲି ସ୍ପଷ୍ଟ କରି ଦେଇଥିଲେ। ପ୍ରଧାନ ବିଚାରପତି ରମଣାଙ୍କ ସହ ଜଷ୍ଟିସ୍ ସିଟି ରବି କୁମାର ମଧ୍ୟ ଏହି ଖଣ୍ଡପୀଠର ସଦସ୍ୟ ଥିଲେ।

ପୂର୍ବରୁ ଗତ ମଙ୍ଗଳବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ଆଇଓଏର ପରିଚାଳନା ଲାଗି ପ୍ରଶାସକ ସମିତି ବା ସିଓଏ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ୍ ଅନିଲ ଆର ଦାଭେ, ପୂର୍ବତନ ନିର୍ବାଚନ କମିସନର ଏସ୍‌ୱାଇ କ୍ୟୁରେସି ଏବଂ ପୂର୍ବତନ ବୈଦେଶିକ ସଚିବ ବିକାଶ ସ୍ବରୂପଙ୍କ ସଦସ୍ୟତାରେ ସିଓଏ ମଧ୍ୟ ଗଠନ କରିଥିଲେ। ସେହିଭଳି ବେଜିଂ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା, ଅଲିମ୍ପିଆନ୍ ଅଞ୍ଜୁ ବବି ଜର୍ଜ ଏବଂ ତୀରଜାନ୍ଦି ତାରକା ବୋମ୍ବାଲ୍ୟା ଦେବୀଙ୍କୁ ସିଓଏର ପରାମର୍ଶଦାତା ନିଯୁକ୍ତ କରିଥିଲେ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଏହି ରା‌ୟ ବିରୋଧରେ ଆଇଓଏ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଉଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ଉପରେ ରହିତାଦେଶ ଜାରି କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ସୁପ୍ରିମକୋର୍ଟ ଆଗାମୀ ସୋମବାରକୁ ଦିନ ଧାର୍ଯ୍ୟ କରିଛନ୍ତି।

ଆଇଓଏର ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ନେଇ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କୁ ଗୁହାରି କରିଥିଲେ। କ୍ରୀଡ଼ା ସଂଘର ପରିଚାଳନା ଲାଗି ସିଓଏ ଗଠନକୁ ଅନ୍ତର୍ଜାତୀୟ କ୍ରୀଡ଼ା ମହାସଂଘ ତୃତୀୟ ପକ୍ଷ ହସ୍ତକ୍ଷେପ ବିବେଚନା କରୁଥିବା ମଧ୍ୟ ଜଣାଇଥିଲେ। ଏହି କ୍ରମରେ ସର୍ବାଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍)ର ଉଦାହରଣ ଉପସ୍ଥାପନା କରିଥିଲେ। ସୂଚନାଯୋଗ୍ୟ ଯେ ଏଆଇଏଫ୍‌ଏଫ୍‌ର ପରିଚାଳନା ଏବେ ସିଓଏ ହାତରେ ଥିଲା ବେଳେ ଫିଫା ମାତ୍ର ଦୁଇ ଦିନ ତଳେ ଏହାକୁ ବାସନ୍ଦ କରିଛି। ତା’ ସହ ଭାରତ ହାତରୁ ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ୍ ବିଶ୍ବକପ୍ ଆୟୋଜନ କରିବାର ଅଧିକାର ଛଡ଼ାଇ ନେଇଛି।

ସମ୍ବନ୍ଧିତ ଖବର