ନା‌ଗେଶ୍ବରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ସମନ

ନୂଆଦିଲ୍ଲୀ: ବିହାରର ମୁଜାଫରପୁର ଆାଶ୍ରୟସ୍ଥଳ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସିବିଆଇର ତଦନନ୍ତକାରୀ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିଥିବାରୁ ଆଜି ସୁପ୍ରିମକୋର୍ଟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପ‌ରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ସିବିଆଇର ପୂର୍ବତନ ଅନ୍ତରୀଣ ମୁଖ୍ୟ ଏମ୍‌ ନାଗେଶ୍ବର ରାଓଙ୍କୁ ଅଦାଲତ ଅବମାନନା ନୋଟିସ୍‌ କରିଛନ୍ତି। ମୁଜାଫରପୁର ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସିବିଆ‌ଇର ପୂର୍ବ ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କୁ ଗତ ଜାନୁଆରି ୧୭ ତାରିଖରେ ନା‌ଗେଶ୍ବର ରାଓଙ୍କ ସହ ଅନ୍ୟ ଜଣେ ଅଧିକାରୀ ସିଆରପିଏଫ୍‌କୁ ବଦଳି କରିଦେଇଥିଲେ। ତେବେ ରାଓ ଏହି ବଦଳି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଅନୁମତି ନେଇନଥିଲେ। ଏହାଦ୍ବାରା ସୁପ୍ରିମକୋର୍ଟଙ୍କ ପୂର୍ବ ରାୟର ଅବମାନନା ହୋଇଥିଲା। ତେଣୁ ଆଜି ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆଜି କହିଛନ୍ତି ଯେ ରାଓ ଅଦାଲତ ଅବମାନନା କରିଛନ୍ତି। ଏନେଇ କୋର୍ଟ ରାଓଙ୍କ ସମେତ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଆସନ୍ତା ୧୨ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଶର୍ମାଙ୍କ ବଦଳି ମାମଲାରେ ସମ୍ପୃକ୍ତ ଥିବା ସିବିଆଇ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ଆରମ୍ଭ ହେବ। ତୁମେମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସହ ଖେଳିଛ। ଭଗବାନ ତୁମକୁ ସାହାଯ୍ୟ କରନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି। କୋର୍ଟ ଆଜି ନୂଆ ସିବିଆଇ ମୁଖ୍ୟ ଋଷୀ କୁମାର ଶୁକ୍ଳାଙ୍କୁ ଶର୍ମାଙ୍କ ବଦଳି ମାମଲାରେ ସମ୍ପୃକ୍ତ ଥିବା ସିବିଆଇ ଅଧିକାରୀମାନଙ୍କ ନାମର ଏକ ତାଲିକା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଆଇନଜୀବୀ ଖଣ୍ଡପୀଠଙ୍କୁ ବଦଳି ସମ୍ପର୍କରେ ଜଣାଇବା ପରେ କୋର୍ଟ ଉକ୍ତ ମାମଲାକୁ ନେଇ ପ୍ରବଳ ଉଦ୍‌ବେଗ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର