ନାତି-ନାତୁଣୀଙ୍କ ପାଖରେ ଜେଜେବାପା ଓ ଜେଜେମାଙ୍କ ବୟସ ହାର ମାନିଥାଏ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ନାତିନାତୁଣୀଙ୍କୁ ପାଖରେ ପା‌ଇଲେ ଜେଜେବାପା ଓ ଜେଜେମା ଅଧିକ ଉତ୍ସାହିତ ହୋଇ ଉଠନ୍ତି। ବୟସ ସେମାନଙ୍କ ପାଖରେ ହାର ମାନିଥାଏ। କୋଭିଡ୍‌ରେ ପିତାମାତାଙ୍କୁ ହରାଇଥିବା ଏକ ପାଞ୍ଚବର୍ଷୀୟ ବାଳକର ଲାଳନପାଳନ ପାଇଁ ସୁପ୍ରିମ୍‌କୋର୍ଟ ଜେଜେବାପା ଓ ଜେଜେମାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ବାପା-ମାଙ୍କ ମୃତ୍ୟୁ ପରେ ପିଲାଟି ତା’ ମାଉସୀ ପାଖରେ ରହୁଥିବା ବେଳେ ନାତିକୁ ପାଖରେ ରଖିବା ପାଇଁ ୭୧ ବର୍ଷୀୟ ବୃଦ୍ଧ ଏବଂ ତାଙ୍କ ପତ୍ନୀ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ପିଲାଟିର ଭରଣପୋଷଣ ଦାୟିତ୍ବ ମାଉସୀକୁ ହସ୍ତାନ୍ତର କରିବା ପରେ ତା’ର ଜେଜେବାପା ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସୁପ୍ରିମ୍‌କୋର୍ଟରେ ଶୁଣାଣି ବେଳେ ମାଉସୀଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ, ପିଲାଟିର ମାଉସୀ ଅବିବାହିତା ଏବଂ ଆତ୍ମନିର୍ଭରଶୀଳା। ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିବା ବେଳେ ପିଲାଟିର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଭରଣପୋଷଣ ଦାୟିତ୍ବ ସେ ନେଇପାରିବେ। ଅପରପକ୍ଷରେ ବୃଦ୍ଧ ଦମ୍ପତିଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା, ସେ ଅହମଦାବାଦର ବାସିନ୍ଦା ହୋଇଥିବା ବେଳେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ। ଅହମଦାବାଦରେ ପିଲାଟିର ପାଠପଢ଼ା ଭଲରେ ହୋଇପାରିବ। ମାଉସୀ ଅବିବାହିତ ଥିବା ବେଳେ ଦାହୋଡ଼ ଅଞ୍ଚଳରେ ରୁହନ୍ତି ଏହାଦ୍ବାରା ବୃଦ୍ଧ ଦମ୍ପତିଙ୍କୁ ନାତିକୁ ଦେଖା କରିବାରେ ମଧ୍ୟ ଅସୁବିଧା ଉପୁଜୁଛି। ପିତାମାତାଙ୍କ ମୃତ୍ୟୁ ପୂର୍ବରୁ ପିଲାଟି ଜେଜେବାପା ଓ ଜେଜେମାଙ୍କ ନିକଟରେ ରହୁଥିବା ବେଳେ ତା’ର ସମସ୍ତ ଦାୟିତ୍ବ ବହନ କରିବା ପାଇଁ ସେମାନେ ସକ୍ଷମ ବୋଲି ଦାବି କରିଥିଲେ। ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ନାତି କିମ୍ବା ନାତୁଣୀକୁ ପାଖରେ ପାଇଲେ ଜେଜେବାପା ଓ ଜେଜେମା ଅତ୍ୟନ୍ତ ଉତ୍ସାହିତ ହୋଇ ଉଠନ୍ତି ଏବଂ ସେମାନଙ୍କ ଭିତରେ ଅଧିକ ଶକ୍ତି ଭରିଯାଏ। ନିଜର ପୁଅବୋହୂଙ୍କୁ ହରାଇବା ପରେ ନାତି ହିଁ ତାଙ୍କର ଆଶାବାଡ଼ି। ତେଣୁ ପିଲାଟିର ଭରଣପୋଷଣର ସମସ୍ତ ଦାୟିତ୍ବ ତା’ର ଜେଜେବାପା ଓ ଜେଜେମା ପାଇବାକୁ ହକ୍‌ଦାର। ଜଷ୍ଟିସ୍‌ ଏମ୍.ଆର୍. ଶାହ ଏବଂ ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଏହି ମାମଲାର ଶୁଣାଣି କରିଥିଲେ।

ସମ୍ବନ୍ଧିତ ଖବର